ଦେଶରେ ରହିଛି ଏଭଳି ଏକ ସ୍କୁଲ । ଏଠି ସ୍କୁଲ ୟୁନିଫର୍ମ ସହିତ ଗାନ୍ଧୀ ଟୋପି ବାଧ୍ୟତାମୂଳକ

131

କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଏହି ଅବସରରେ ସାରା ଦେଶ ଆଜି ତାଙ୍କୁ ମନେ ପକାଉଛି । କେଉଁଠି କେଉଁଠି ନେତାମାନେ ଆଜି ସଭା ସମିତିରେ ଗାନ୍ଧୀ ଟୋପି ପିନ୍ଧି ଗାନ୍ଧୀଙ୍କ ଜୀବନୀ ଉପରେ ଭାଷଣ ଦେଉଛନ୍ତି ତ କେଉଁ କେଉଁ ସ୍କୁଲରେ ଛାତ୍ର ଛାତ୍ରୀମାନେ ଆଜି ଗୋଟିଏ ଦିନ ପାଇଁ ଗାନ୍ଧୀ ଟୋପି ପିନ୍ଧିଛନ୍ତି । ହେଲେ ଦେଶରେ ଏଭଳି ଏକ ବିଦ୍ୟାଳୟ ରହିଛି ଯେଉଁଠି କି ଛାତ୍ରଛାତ୍ରୀମାନଙ୍କ ପାଇଁ ଦୈନିକ ସ୍କୁଲ ୟୁନିଫର୍ମ ସହିତ ଗାନ୍ଧୀ ଟୋପି ପିନ୍ଧିବା ବାଧ୍ୟତାମୂଳକ ।

ମଧ୍ୟପ୍ରଦେଶର ହରଦା ଜିଲ୍ଲା ଛିପାୱଡରେ ରହିଛି ଏହି ସ୍କୁଲ । ସ୍କୁଲଟିର ନାମ ଶାସକୀୟ ସ୍କୁଲ ହୋଇଥିବା ବେଳେ ଏହା ଜାନୁଆରୀ ପହିଲା ୧୮୯୨ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ସ୍କୁଲ ଆରମ୍ଭରୁ ପିଲାମାନଙ୍କ ପାଇଁ ଗାନ୍ଧୀ ଟୋପି ବାଧ୍ୟତାମୂଳକ ରହିଛି । ୧୩୧ ବର୍ଷ ପୁରୁଣା ଏହି ସ୍କୁଲରେ ସମସ୍ତ ପୁରୁଣା ଛାତ୍ର ଛାତ୍ରୀଙ୍କର ଡକ୍ୟୁମେଣ୍ଟ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି । କୁହାଯାଏ କି ସ୍ୱାଧୀନତା ଆନ୍ଦୋଳନ ବେଳେ ନିଜେ ଗାନ୍ଧୀଜୀ ଏହି ସ୍କୁଲକୁ ଆସି ଚରଖା ଚଳାଇଥିଲେ ।

ଏହି ସ୍କୁଲର ବିଶେଷତା ହେଉଛି କି, ଏଠାରେ ପିଲାମାନଙ୍କୁ ସିଲାବସ୍ ମୁତାବକ ପାଠ ପଢାଯିବା ସହ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଏଠାରେ ପିଲାମାନଙ୍କୁ ଜୀବନ ଯାପନ ଶୈଳୀର ପରିବର୍ତ୍ତନ ପାଇଁ ମଧ୍ୟ ଶିକ୍ଷା ପ୍ରଦାନ କରାଯାଇଥାଏ । କିଛି ବର୍ଷ ହେବ ଏହି ସ୍କୁଲରେ ପିଲାଙ୍କ ଆଡମିଶନ ସଂଖ୍ୟା କମିବାରେ ଲାଗିଛି । ହେଲେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ସ୍କୁଲରେ ଥିବା ପୁରୁଣା ନିୟାମାବଳୀର ପରିବର୍ତ୍ତନ କରାଯାଇ ନାହିଁ । ଏବେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୬ ଜଣ ପିଲା ଅଛନ୍ତି । ଦୈନିକ ଶିକ୍ଷକମାନେ ପିଲାମାନଙ୍କୁ ଚରଖା ଚଳାଇବାର ପ୍ରଶିକ୍ଷଣ ଦେଇଥାନ୍ତି ।