ଗୁଜରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ନାହିଁ ଆଶ୍ୱସ୍ଥି । ଶୁଣାଣି ଶେଷ, ରାୟ ସଂରକ୍ଷିତ

749

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟ ପୁଣି ଝଟକା ଦେଇଛନ୍ତି । ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ମାମଲାରେ ସୁରଟ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ କହିଛନ୍ତି କି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ କୋର୍ଟ କୌଣସି ପ୍ରକାର ସହାୟତା କରିପାରିବ ନାହିଁ । ଏହାସହ ଏହି ମାମଲାର ରାୟ ଗ୍ରୀଷ୍ମକାଳୀନ ଛୁଟି ପରେ ଶୁଣାଯିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।

ସୂଚନା ଥାଉକି ମୋଦୀ ସାଙ୍ଗିଆ ନେଇ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ହୋଇଥିବା ମାମଲାର ଶୁଣାଣି କରି ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଆଧାରରେ ସଂସଦ ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଥିଲା ।

ସୁରଟ କୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀ ଦଣ୍ଡ କୋହଳ କରିବାକୁ ସୁରଟ କୋର୍ଟରେ ମଧ୍ୟ ଆବେଦନ କରିଥିଲେ । ସେଠାରେ ରାହୁଲଙ୍କ ଓକିଲ ଯେଉଁ ଦଲିଲ ଦେଇଥିଲେ ସେଥିରେ ଯୁକ୍ତି ରଖିଥିଲେ କି ମାନହାନୀ ମାମଲାରେ ଜଣେ ନିର୍ଦ୍ଧିଷ୍ଠ ବ୍ୟକ୍ତିଙ୍କ ସମ୍ମାନ ହାନି ହେବାର ଅଭିଯୋଗ ସ୍ପଷ୍ଟ ହେବା ଆବଶ୍ୟକ । ହେଲେ କୋଲାର ଠାରେ ମୋଦୀ ସାଂଗିଆକୁ ନେଇ ରାହୁଲ ଗାନ୍ଧୀ ଯେଉଁ ବୟାନ ଦେଇଥିଲେ ତାହା ସାଧାରଣ ଭାବେ କଥାବାର୍ତ୍ତା ହେବା ବେଳେ ଏଭଳି ବୟାନ ଦିଆଯାଏ ବୋଲି ରାହୁଲଙ୍କ ଓକିଲ ତାଙ୍କ ଦଲିଲ୍ ମାଧ୍ୟମରେ ଯୁକ୍ତି ବାଢିଥିଲେ ।