୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ଭୂପେନ୍ଦ୍ର ପଟେଲ । ୬ଜଣ ନୂଆ ଚେହେରାଙ୍କ ସହ ୧୬ଜଣ ମନ୍ତ୍ରୀଙ୍କ ଶପଥ ପାଠ

129

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଯେଉଁ ରେର୍କଡ ସହ ଜିତ ହାସଲ କରିଛି ତାହା ରାଜ୍ୟରାଜନୀତିର ଇତିହାସରେ ଲିପିବଦ୍ଧ ହୋଇ ସବୁଦିନ ପାଇଁ ରହିବ । ଏହି ଐତିହାସିକ ବିଜୟ ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ । ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି । ତେବେ ଭୁପେନ୍ଦ୍ରଙ୍କ ସହ ୧୬ ବିଧାୟକ ମନ୍ତ୍ରୀ ପଦ ପାଇଁ କରିଛନ୍ତି ଶପଥପାଠ । ଗାନ୍ଧିନଗରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିଛି ।

ଶପଥଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗୁଜରାଟରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା । ଏଥି ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ର୍ଶମାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୧୬ ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇଁ ସୋମବାର ଶପଥ ନେଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ କନୁଭାଇ ଦେଶାଇ, ରୁଷିକେଶ ପଟେଲ, ବଳବନ୍ତ ସିଂ ରାଜପୁତ, ମୁଲୁଭାଇ ବେରା, ଜଗଦୀଶ ବିଶ୍ୱକର୍ମା ପ୍ରମୁଖ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ମୁହଁ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ପଟେଲଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିବା କିଛି ମନ୍ତ୍ରୀଙ୍କୁ ଏଥର ବି ମନ୍ତ୍ରୀ ଭାବେ ସୁଯୋଗ ମିଳିଥିବା ବେଳେ କେତେକଙ୍କୁ ବାଦ୍ ଦିଆଯାଇଛି ।

ଭୁପେନ୍ଦ୍ର ପଟେଲ ଗତ ବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜୟ ରୂପାନୀଙ୍କୁ ରାତାରାତି ହଟେଇ ଏହି ସ୍ଥାନରେ ପଟେଲଙ୍କୁ ବସାଇଥିଲା ବିଜେପି । କାରଣ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପଟେଲ ସମ୍ପ୍ରଦାୟର ଭୋଟ ବିଜେପି ପାଇଁ ବେଶ ଗୁରୁତ୍ୱ ରଖୁଥିଲା । ସେପଟେ ବିଜେପି ଗୁଜରାଟରେ ଦୀର୍ଘ ୨୭ ବର୍ଷ ଧରି କ୍ଷମତାରେ ରହିଆସୁଥିବା ବିଜେପି ୭ମ ଥର ମଧ୍ୟ ବାଜି ମାରିଛି