“ସରକାର ଚଲେଇବା କାମ ଆଉଟସୋର୍ସ ହେଇଗଲାଣି । ବାହାର ଲୋକମାନେ ଓଡିଶା ଉପରେ କବଜା କରିଛନ୍ତି ।”: ନରେନ୍ଦ୍ର ମୋଦୀ

132

କନକ ବ୍ୟୁରୋ: ବରଗଡରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ । ସଭାମଞ୍ଚରୁ ଉଭୟ ବିଜେଡି ଏବଂ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଦେଶର ଅନେକ ସ୍ଥାନରେ ୩ଟି ପର୍ଯ୍ୟାୟରେ ମତଦାନ ହେଇଛି । ମୁଁ ଆଜି ବହୁତ ବିଶ୍ୱାସର ସହ ଦେଖୁଛି, ଜୁନ୍ ୪ରେ ଏନଡିଏର ୪୦୦ ପାର୍ କରିବା ପକ୍କା ହେଇଯାଇଛି । କେବଳ ଏତିକି ନୁହେଁ, କଂଗ୍ରେସ ବିପକ୍ଷ ମଧ୍ୟ ହେଇପାରିବନି । ତାଙ୍କ ଯୁବରାଜଙ୍କ ବୟସଠୁ ବି ତାଙ୍କୁ କମ୍ ସିଟ୍ ମିଳିବ । ଅନ୍ୟପଟେ ବିଜେଡି ସରକାର ଏଠି ବିକାଶ କାମରେ ବିଫଳ ହେଇସାରିଛି । ବିଜେଡି ସରକାର କିଏ ଚଲାଉଛି? ଏଠି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହେଇଥିବା ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହେଇଛନ୍ତି । ଓଡିଶାକୁ ଜାଣିନଥିବା ଲୋକ ସୁପର ସିଏମ୍ ହେଇଛନ୍ତି ବୋଲି କହିଛନ୍ତି ମୋଦୀ ।

ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆପଣଙ୍କ ପାଖକୁ ବିଜେପିର ସ୍ୱାର୍ଥ୍ୟ ପାଇଁ ଆସିନି । ମୁଁ ଆପଣଙ୍କ ପାଖରେ ହାତ ଯୋଡି ନେହୁରା ହେଉଛି, ଗୁହାରୀ କରୁଛି, ଓଡିଶାକୁ ବଞ୍ଚାନ୍ତୁ । ଓଡିଶା ବର୍ବାଦ ହେଉଛି । ୨୫ ବର୍ଷ ବର୍ବାଦ ହେଇଗଲାଣି, ଗତ ୫ ବର୍ଷ ହେଲା ବାହାର ଲୋକମାନେ ଓଡିଶା ଉପରେ କବଜା କରିଛନ୍ତି । ଓଡିଶାର ପୁଅ,ଝିଅ ନେତୃତ୍ୱ ନେବାର ଯୋଗ୍ୟ କି ନୁହେଁ? ଓଡିଶା ଗରିବ କାହିଁକି, ଏଠାକାର ଲୋକ ସାମାନ୍ୟ ସୁବିଧା ପାଇଁ କାହିଁକି ଅସୁବିଧା ଭୋଗୁଛନ୍ତି? ଏହାର କାରଣ ହେଉଛି ଏଠାକାର ସରକାର ନିର୍ବାଚିତ ଲୋକ ଚଲାଉନାହାଁନ୍ତି । ସରକାର ଚଲେଇବା କାମ ଆଉଟସୋର୍ସ ହେଇଗଲାଣି ।

ବିଜେଡି ସରକାର ଭାତହାଣ୍ଡିକୁ ଖାଲି ଦେଇଛି । ସବୁକିଛି ବିଜେଡି ନେତାଙ୍କ ସିନ୍ଧୁକକୁ ପଳାଇଗଲାଣି । ସେପଟେ ଦିନ ଦ୍ୱିପହରରେ ମନ୍ତ୍ରୀଙ୍କର ହତ୍ୟା ହେଉଛି । ନିଶା ବେପାରୀ, ଡ୍ରଗ୍ସ ମାଫିଆମାନେ ଯୁବକଙ୍କୁ ନଷ୍ଟ କରୁଛନ୍ତି । ଓଡିଶାର ଲୋକ ସଙ୍କଳ୍ପ କଲେ, ଓଡିଶାକୁ ବର୍ବାଦ କରୁଥିବା ଏ ସରକାର ଗୋଟେ ସେକେଣ୍ଡ ପାଇଁ ରହିପାରିବନି ବୋଲି ମୋଦୀ କହିଛନ୍ତି ।

ଅନ୍ୟପଟେ ବରଗଡରେ ନିଜ ଅଭିଭାଷଣରେ ବୁଣାକାର ଭାଇ ଭଉଣୀଙ୍କର ପ୍ରଂଶସା କରିଥିଲେ ମୋଦୀ । ସେ କହିଥିଲେ, ଆମ ବୁଣାକାର ଭାଇ ଭଉଣୀମାନେ ମେଡ୍ ଇନ୍ ଇଣ୍ଡିଆର ଶିଳ୍ପକାର । ସମ୍ବଲପୁରୀ ଶାଢୀର ନାଁ ସାରା ଦୁନିଆରେ ଅଛି । ବିଜେପି ସରକାର ଟେକ୍ସଟାଇଲ୍ ଇନଷ୍ଟିଚ୍ୟୁଟରେ ପଢିବା ପାଇଁ ବୁଣାକାର ଛାତ୍ରଙ୍କୁ ୨ ଲକ୍ଷ ଟଙ୍କାର ସ୍କଲାରସିପ୍ ଦେଉଛି । ହଜାର ହଜାର ବୁଣାକାରଙ୍କୁ ଟ୍ରେନିଂ ଏବଂ ମେସିନ୍ ମଧ୍ୟ ଦିଆଯାଇଛି । କଞ୍ଚାମାଲ ଆଣିବା ଖର୍ଚ୍ଚ ମଧ୍ୟ ସରକାର ଉଠାଉଛନ୍ତି । ମୁଦ୍ରା ଯୋଜନାରେ ବୁଣାକାରଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ମିଳୁଛି । ଓଡିଶା ବିଜେପି ୩ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରିବାକୁ ଘୋଷଣା କରିଛି ବୋଲି କହିବା ସହିତ, ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ମୋଦୀ ଆହ୍ୱାନ ଦେଇଥିଲେ ।

ଅନ୍ୟପଟେ କଂଗ୍ରେସ ଉପରେ ଟାର୍ଗେଟ କରି ମୋଦୀ କହିଥିଲେ, ଓଡିଆ ଝିଅ ତଥା ରାଷ୍ଟ୍ରପତି ରାମଲାଲାଙ୍କୁ ଦର୍ଶନ କରିବାକୁ ଯିବା ପରେ, କଂଗ୍ରେସ ନେତା କହୁଛନ୍ତି ରାମ ମନ୍ଦିରକୁ ଗଙ୍ଗା ଜଳ ପକାଇ ଶୁଦ୍ଧି କରଣ କରିବେ । ତା ସହ କଂଗ୍ରେସ ସମ୍ବିଧାନ ବଦଳାଇବାକୁ ଚାହୁଁଛି । ଏସସି, ଏସଟି ଏବଂ ଓବିସିଙ୍କ ସଂରକ୍ଷଣ କାଟିବାକୁ ଚାହୁଁଛି । ହେଲେ ଏବେ ସମ୍ବିଧାନର ସର୍ବୋଚ୍ଚ ପଦରେ ଜଣେ ଆଦିବାସୀ ଝିଅ ବସିିଛି, ଏବଂ ପଛୁଆ ପରିବାରରେ ଜନ୍ମ ହେଇଥିବା ପ୍ରଧାନ ସେବକ ଅଛି, କେହି ବି ସାହାସ କରିପାରିବେନି ସମ୍ବିଧାନରେ ହାତ ମାରିପାରିବେ । ଏସସି,ଏସଟି ଏବଂ ଓବିସିଙ୍କ ହକ୍ କେହି ବି ଛଡେଇପାରିବେ ନାହିଁ ବୋଲି କହିଥିଲେ ମୋଦୀ ।