ପରକୀୟା ପ୍ରୀତିର ଲୋମଟାଙ୍କୁରା ପରିଣତି । ସ୍ତ୍ରୀର ପ୍ରେମିକକୁ ମାରି ପୋଡ଼ି ଦେଲା ସ୍ୱାମୀ । ପାଉଁଶକୁ ପୋଖରୀରେ ଦେଲା ଭସାଇ…

407

କନକ ବ୍ୟୁରୋ: ହତ୍ୟାର ପ୍ରମାଣ ଖୋଜିବା ପାଇଁ ପୋଖରୀ ଭିତରୁ ହାଡ଼ ଖୋଜୁଛି ପୁଲିସ୍ । ପରକୀୟ ପ୍ରୀତି କେତେ ଭୟଙ୍କର ହୋଇପାରେ ଏହି ଚିତ୍ରରୁ ସ୍ପଷ୍ଟ ବାରି ହେଉଛି । ନିଖୋଜ୍ ଶୈଳେନ୍ଦ୍ର ଜେନାଙ୍କ ସମ୍ପର୍କରେ ଯେଉଁ ଆଶଙ୍କା କରାଯାଉଥିଲା, ଅବିକଳ ସେଇଆ ଘଟିଛି । ହତ୍ୟାକାରୀ ଦୀପୁ ସାହୁ ଏବଂ ତାଙ୍କ ବାପା ଫେରାର୍ ଥିବା ବେଳେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସୁରୀକୁ ଧରି ହତ୍ୟାକାଣ୍ଡର ସିନ୍  ରିକ୍ରିଏସନ୍ କରିଛି ନୟାଗଡ଼ ପୁଲିସ ।

ଅଭିଯୋଗ ଅନୁସାରେ ଦୀପୁ ସାହୁଙ୍କ ସ୍ତ୍ରୀ ସହ ଶୈଳେନ୍ଦ୍ରଙ୍କ ସମ୍ପର୍କ ଥିଲା । କଟକରୁ ଗାଁକୁ ଫେରି ଆସିବା ପରେ ବି ଫୋନ୍ ଯୋଗେ ଉଭୟଙ୍କ ଯୋଗାଯୋଗ ରହୁଥିଲା । ଆଉ ଦୀପୁଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ନୟାଗଡ଼ ଆସିଥିବା ବେଳେ ଶୈଳେନ୍ଦ୍ରଙ୍କୁ ହତ୍ୟା କରିଥିଲେ ଦୀପୁ ଏବଂ ତାଙ୍କ ବାପା । ନିଜ ଘରେ ହତ୍ୟା କରିବା ପରେ ପାଖରେ ଥିବା ଏକ ଜଙ୍ଗଲକୁ ନେଇ ମୃତଦେହକୁ ପୋଡ଼ି ଦେଇଥିଲେ । ଆଉ ପ୍ରମାଣ ନଷ୍ଟ କରିବା ପାଇଁ ପାଉଁଶକୁ ପାଖରେ ଥିବା ପୋଖରୀରେ ଫୋପାଡ଼ି ଦେଇଥିଲେ ।

ଡିସେମ୍ବର ୩ ତାରିଖ ଦୀପୁଙ୍କ ସ୍ତ୍ରୀକୁ ଭେଟିବାକୁ ନୟାଗଡ଼ ଆସିଥିଲେ ଶୈଳେନ୍ଦ୍ର । ହେଲେ ଆଉ ଫେରିନଥିଲେ ।ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ, ଦୀପୁ ସାହୁ ଏବଂ ତାଙ୍କ ବାପା ଏବେ ବି ଫେରାର ଅଛନ୍ତି ।