ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟିପ୍ପଣୀ । କହିଲେ ସମ୍ବିଧାନର ସୁରକ୍ଷା ପାଇଁ ମୋଦୀଙ୍କ ହତ୍ୟା କରିବା ପାଇଁ ରୁହ ତତ୍ପର

88

କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାଜ ପଟେରିଆଙ୍କ ବିବାଦୀୟ ବୟାନ୍ ସାମ୍ନାକୁ ଆସିଛି । ସମ୍ବିଧାନ ବଂଚାଇବାର ଅଛି ତ, ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ, ଏଭଳି ବୟାନ୍ ଦେଇ ବିବାଦରେ ଫଶିଛନ୍ତି ଏହି କଂଗ୍ରେସ ନେତା । ପାନ୍ନାରେ ଏକ ରାଜନୈତିକ ସଭାରେ ଯୋଗ ଦେଇ କର୍ମୀଙ୍କୁ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରାଜା ପଟୋରିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସାଙ୍ଗକୁ ଏ ଘଟଣାକୁ ନେଇ ବିଜେପି ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି ।

ରାଜ ପଟେରିଆ କହିଥିଲେ କି,  ଯଦି ସମ୍ବିଧାନ ବଂଚାଇବାର ଅଛି, ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ । ଏକ ରାଜନୈତିକ ସଭାରେ ଖୋଲାଖୋଲି ଭାବେ କର୍ମୀଙ୍କୁ ଏଭଳି ଗୁରୁମନ୍ତ୍ରଣା ଦେଇ ବିବାଦରେ ଫଶିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାଜା ପଟେରିଆ । ରବିବାର ପାନ୍ନାରେ କଂଗ୍ରେସର ଏକ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସଭାରେ କର୍ମୀଙ୍କ ସହ ଆଲୋଚନା କରିବା ବେଳେ ରାଜା ପଟେରିଆ କହିଥିଲେ, ମୋଦୀ ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରୁଛନ୍ତି । ଯଦି ଆପଣମାନେ ସମ୍ବିଧାନ ବଂଚାଇବାକୁ ଚାହୁଁଛନ୍ତି, ତେବେ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ । ସେପଟେ ଏଭଳି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି । ଘଟଣାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ  ସିଂ ଚୌହ୍ୱାନ ନିନ୍ଦା କରିଛନ୍ତି । ସେହିପରି ଗୃହମନ୍ତ୍ରୀ ନରୋତମ ମିଶ୍ର ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେ କହିଛନ୍ତି, କଂଗ୍ରେସ ମହାତ୍ମାଗାନ୍ଧୀଙ୍କୁ ନୁହେଁ ବରଂ ଫାଶୀବାଦୀ ଚିନ୍ତାଧାରା ରଖିଥିବା ମୁସୋଲିନିକୁ ଅନୁସରଣ କରୁଛି  ।

ସେପଟେ ବିବାଦୀୟ ବୟାନକୁ ନେଇ ବିଜେପି ଘେରିବା ପରେ ସଫେଇ ରଖିଛନ୍ତି ରାଜା ପଟେରିଆ । ଏକ ବିବୃତିରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି, ମୁଁ ଜଣେ ବ୍ୟକ୍ତି, ଯିଏ ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଅନୁସରଣ କରୁଛି । ସଭାରେ ମୋର ଭାଷଣର ଉଦ୍ଦେଶ୍ୟ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ନୁହେଁ, ବରଂ ପରବର୍ତୀ ନିର୍ବାଚନରେ ତାଙ୍କୁ ପରାସ୍ତ କରିବା  । କଥା ପ୍ରସଙ୍ଗରେ ହୁଏତ ଏପରି ଶଦ୍ଦ ପାଟିରୁ ବାହାରିଯାଇଥିବ, ହେଲେ ଏହାକୁ ଭୂଲଭାବରେ ଉପସ୍ଥାପନା କରାଯାଉଛି । ଏହି ପ୍ରସଙ୍ଗରେ ବିଜେପି ଅଯଥା ରାଜନୀତି କରୁଥିବା ସେ କହିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଗ୍ରେସ ନେତା କୌଣସି ବିବାଦୀୟ ବୟାନ ଦେଇଛନ୍ତି । ଅନେକବାର ଏଭଳି ଘଟଣା ସାମ୍ନାକୁ ଆସିଛି ଓ ଏହାକୁ ଟାର୍ଗେଟ କରି ନିଜେ ପ୍ରଧାନମନ୍ତ୍ରୀ ଓ ବିଜେପି ତରଫରୁ ପାଲଟା ଜବାବ ଦିଆଯାଇଛି ।