ଅଡୁଆରେ ବଲିଉଡ୍ ଅଭିନେତ୍ରୀ କରୀନା କୁପର । ଧର୍ମ ଉପରେ ରଖିଲେ ବହିର ନାଁ । ନୋଟିସ୍ ଜାରି କଲେ କୋର୍ଟ ।

430

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ କରୀନା କପୁର । କରୀନାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକର ଟାଇଟଲକୁ ନେଇ ବିବାଦ ଉପୁଜିଛି । ଏପରିକି ଏହି ପୁସ୍ତକ ପାଇଁ କୋର୍ଟ କରୀନାଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।

ଅସଲ କଥା ହେଲା, କରୀନା କପୁର ଖାନ୍ ନିଜ ଗର୍ଭବସ୍ଥା ସମୟର ଯାତ୍ରାକୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି । ଏହାର ନାଁ ସେ ରଖିଛନ୍ତି, କରୀନା କପୁର ଖାନ୍ ପ୍ରେଗେନ୍ସି ବାଇବେଲ୍ । ତେବେ ବହିରେ ବାଇବେଲ୍ ଶବ୍ଦର ବ୍ୟବହାର ହେଇଥିବା କାରଣରୁ ଏହା ବିରୋଧରେ ଜବଲପୁରର ଖ୍ରୀଷ୍ଟିୟାନ୍ ସମାଜେବୀ କୋର୍ଟର ଦ୍ୱାରସ୍ଥ ହେଇଛନ୍ତି । ଆଉ ଏହାପରେ କୋର୍ଟ କରୀନାଙ୍କୁ ନୋଟିସ୍ ଜାରି କରିଛି ।

ଜବଲପୁରର ଖ୍ରୀଷ୍ଟିୟାନ୍ ସମାଜସେବୀ କ୍ରିଷ୍ଟୋଫର ଆନ୍ଥୋନୀ ଏହି ବହିର ନାଁ ଉପରେ ଆପତ୍ତି ଜାହିର କରିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟରେ ସେ ଏନେଇ ଏକ ଯାଚିକା ମଧ୍ୟ ଦାୟର କରିଥିଲେ । ଯାହ ଉପରେ ଆକ୍ସନ ନେଇ କୋର୍ଟ, କରୀନା କପୁର ଏବଂ ଏହି ବହି ବିକୁଥିବା ଲୋକଙ୍କୁ ଜବାବ ମାଗିଛି ।

ସମାଜସେବୀ କ୍ରିଷ୍ଟୋଫର ଆନ୍ଥୋନୀଙ୍କ କହିବା ମୁତାବକ, କେବଳ ପ୍ରଚାର ପାଇଁ ଏବଂ ଶସ୍ତା ଲୋକପ୍ରିୟତା ପାଇଁ ସେ ପବିତ୍ର ଗ୍ରନ୍ଥର ନାମ ନିଜ ବହିରେ ଯୋଡିଛନ୍ତି । ଏହାକୁ ଭୁଲ ବୋଲି କହିବା ସହ,ଏହାଦ୍ୱାରା ଧାର୍ମିକ ଭାବନା ଆହତ ହେଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ଏହି ଉନ୍ମୋଚିତ ହେଇଥିଲା । ଯେଉଁଥିରେ ୪୩ ବର୍ଷୀୟ କରୀନା କପୁର ନିଜ ଗର୍ଭବସ୍ଥାର ଯାତ୍ରା ବର୍ଣ୍ଣନା କରିଥିଲେ ।