ନିର୍ବାଚନ ଭିତରେ ସବୁ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ । ପ୍ରଥମଥର ପାଇଁ ଆଦାୟ ହୋଇଛି ୨ ଲକ୍ଷ କୋଟିରୁ ଅଧିକ ଟଙ୍କା

68

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ସରକାରଙ୍କ ପାଇଁ ଖୁସି ଖବର ଆସିଛି । ସରକାର ୨୦୨୪ ଏପ୍ରିଲ ମାସରେ ପୂର୍ବ ଜିଏସଟି ଆଦାୟର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ନୂଆ ଆର୍ଥିକ ବର୍ଷର ପ୍ରଥମ ମାସରେ ସରକାର ୨ଲକ୍ଷ କାଟି ଟଙ୍କାରୁ ଅଧିକ ଜିଏସଟି ଆଦାୟ କରିଛନ୍ତି । ସରକାରଙ୍କ ରିପୋର୍ଟ ମୁତାବକ ପୂର୍ବ ସମସ୍ତ ଏପ୍ରିଲମାସ ଠାରୁ ଚଳିତ ଏପ୍ରିଲ ମାସରେ ସର୍ବାଧିକ ୨ଲକ୍ଷ ୧୦ ହଜାର କୋଟି ଟଙ୍କା ଜିଏସଟି ଆକାରରେ ଆଦାୟ କରିଛନ୍ତି ।

ଗତବର୍ଷ ଏପ୍ରିଲମାସ ତୁଳନାରେ ଚଳିତ ଏପ୍ରିଲ ମାସରେ ୧୨.୪ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ସେହିଭଳି ନେଟ୍ ରେଭିନ୍ୟୁ ୧.୯୨ କୋଟି ଟଙ୍କା ରହିଛି (ରିଫଣ୍ଡ ପରେ) । ଯାହା ଗତବର୍ଷ ଏପ୍ରିଲମାସ ତୁଳନାରେ ୧୭.୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି ।

୨୦୨୪ ଏପ୍ରିଲରେ ହୋଇଥିବା ମୋଟ ଜିଏସଟି ଆଦାୟ ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୪୩,୮୪୬ କୋଟି, ଷ୍ଟେଟ୍ ଜିଏସଟି ବାବଦରେ ୫୩,୫୩୮ କୋଟି, ଆଇଜିଏସଟି ୯୯,୬୨୩ କୋଟି ଓ ସେସ୍ ବାବଦରେ ୧୩,୨୬୦ କୋଟି ଟଙ୍କା ଆଦାୟ ହୋଇଛି ।

ଗତବର୍ଷ ଏପ୍ରିଲ ମାସରେ ଜିଏସଟି ବାବଦରେ ମୋଟ ୧.୭୮ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିଲା । ସରକାରୀ ସୂଚନା ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୨୦.୧୮ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି । ଯାହା କି ୨୦୨୨-୨୩ ଆଥିର୍କ ବର୍ଷ ତୁଳନାରେ ୦.୧୮ ଲକ୍ଷ କୋଟି ଟଙ୍କା ଅଧିକ ।