ନୂଆବର୍ଷ ଆରମ୍ଭରୁ ବିଦ୍ୟୁତ ଝଟକା ଦେଲା ଗ୍ରିଡକୋ । ଅବହେଳା ପାଇଁ ୧୬୩ କୋଟିର ଆର୍ଥିକ ବୋଝ ମୁଣ୍ଡାଇବେ ଉପଭୋକ୍ତା

301

କନକ ବ୍ୟୁରୋ: ବର୍ଦ୍ଧିତ ବିଜୁଳି ବିଲ୍ ସମସ୍ତଙ୍କୁ ବାଧୁଛି । ଅଧିକ ଟଙ୍କା ଦେଇ ଆପଣ ନିରବଚ୍ଛିନ ବିଜୁଳି ପାଉଛନ୍ତି କି ନାହିଁ, ତାହା ନିଜେ ଅନୁଭବ କରୁଥିବେ । ଏହାରି ଭିତରେ ବିଜୁଳି ବିଲକୁ ନେଇ ଆସିଛି ଆଉ ଏକ ସାଂଘାତିକ ଖବର । ସାରା ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ଏବେ ପାଖାପାଖି ୧୬୩ କୋଟିର ଆର୍ଥିକ ବୋଝ ମୁଣ୍ଡାଇବାକୁ ଯାଉଛନ୍ତି । କାରଣ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ରାୟ ବେଦାନ୍ତ ସପକ୍ଷରେ ଯାଇଛି । ବିତରଣକାରୀ ସଂସ୍ଥା ଗ୍ରିଡକୋ ଆବେଦନ ପାଇଁ ଦିନଟିଏ ବିଳମ୍ବ କରିଦେବାରୁ ବର୍ଷର ପ୍ରଥମ ୩ ମାସ ମାଗଣା ବିଜୁଳି ଦେବାକୁ ମନା କରିଦେଇଛି ବେଦାନ୍ତ ।

  • ବର୍ଷର ପ୍ରଥମ ୩ ମାସ ଶସ୍ତା ବିଦ୍ୟୁତ ପାଇବନି ଓଡ଼ିଶା
  • ଆବେଦନ ପାଇଁ ଦିନଟିଏ ବିଳମ୍ବ କରିଦେଲା ଗ୍ରିଡକୋ
  • ୧୬୩ କୋଟିର ଆର୍ଥିକ ବୋଝ ମୁଣ୍ଡାଇବେ ବିଦ୍ୟୁତ ଉପଭୋକ୍ତା

ବେଦାନ୍ତର ସ୍ୱାର୍ଥ ସୁରକ୍ଷା ପାଇଁ ଯେଉଁ ପେଞ୍ଚ ହୋଇଥିଲା, ତା’ର ଝଟକା ପାଇବେ ରାଜ୍ୟର ଲକ୍ଷ ଲକ୍ଷ ଗ୍ରାହକ । ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ, ତିନି ମାସ ପାଇଁ ରାଜ୍ୟକୁ ମାଗଣା ବିଦ୍ୟୁତ ଦେବାକୁ ମନା କରିଦେଇଛି । ଓଇଆରସି ବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ରାୟ ବେଦାନ୍ତ ସପକ୍ଷରେ ଯାଇଛି, କାରଣ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ବିଳମ୍ବରେ ଏଥିପାଇଁ ଆବେଦନ କରିଥିଲା ଗ୍ରୀଡକୋ ।

୨୦୦୬ରେ ଝାରସୁଗୁଡ଼ାରେ ୪ଟି ୟୁନିଟ୍ ସ୍ୱାଧୀନ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିଲା ବେଦାନ୍ତ । ଏଥିରେ ମୋଟ ୨୪ ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଥିଲା । ରାଜ୍ୟ ସରକାର ସୁଭଲ ମୂଲ୍ୟରେ ଜମି, ପାଣି, କୋଇଲା ଆଦି ଯୋଗାଇ ଦେଇଥିଲେ । ଚୁକ୍ତି ଅନୁସାରେ ବେଦାନ୍ତ ଯେତିକି ବିଦ୍ୟୁତ ଉତ୍ପାଦନ କରିବ, ତା’ର ୩୦ ପ୍ରତିଶତ ବିଦ୍ୟୁତ ଶସ୍ତା ମୂଲ୍ୟରେ ଓଡ଼ିଶା ପାଇବ ।

୨୦୧୮ରେ ଉତ୍ପାଦିତ ସମସ୍ତ ବିଦ୍ୟୁତକୁ ବ୍ୟବହାର ଲାଗି ନିୟାମକ ଆୟୋଗଙ୍କ ନିକଟରେ ବେଦାନ୍ତ ଆବେଦନ କରିଥିଲା । ଏଥିରେ ପକ୍ଷଭୁକ୍ତ ହୋଇଥିଲେ ରାଜ୍ୟ ସରକାର ଓ ଗ୍ରିଡକୋ । ଓଇଆର୍ସି ଦର୍ଶାଇଥିଲେ ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଛି । ତେଣୁ ଓଡ଼ିଶା ପାଇଁ ଥିବା ବିଦ୍ୟୁତ ମଧ୍ୟ ବେଦାନ୍ତ ବ୍ୟବହାର କରିପାରିବ । ଯଦି ରାଜ୍ୟରେ କେବେ ନିଅଣ୍ଟିଆ ସ୍ଥିତି ଆସେ, ତେବେ ୩ ମାସ ପୂର୍ବରୁ ସରକାର କମ୍ପାନୀକୁ ଅନୁରୋଧ କରିପାରିବେ ବୋଲି ରାୟ ପ୍ରକାଶ ପାଇଥିଲା ।

ଓଇଆରସି ରାୟ ଅନୁସାରେ ୨୦୨୨ର ପ୍ରଥମ ତିନି ମାସ ବିଦ୍ୟୁତ ପାଇଁ ନଭେମ୍ବର ୪ ତାରିଖ ସୁଦ୍ଧା ଆବେଦନ କରିବା କଥା । ଏହି ରାୟ ସଂପର୍କରେ ଉଭୟ ରାଜ୍ୟ ସରକାର ଓ ଗ୍ରିଡକୋ ଅଧିକାରୀ ଅବଗତ ଥିଲେ । ଏହାସତ୍ତେ୍ୱ ଗୋଟିଏ ଦିନ ବିଳମ୍ବରେ ଅର୍ଥାତ ନଭେମ୍ବର ୫ ତାରିଖରେ ଗ୍ରିଡକୋ ବେଦାନ୍ତ ଠାରୁ ବିଦ୍ୟୁତ ନେବା ପାଇଁ ଆବେଦନ କରିଥିଲା । ନିର୍ଦ୍ଧାରିତ ସମୟ ପରେ ଗ୍ରିଡକୋ ଆବେଦନ କରିଥିବାରୁ ଏହାକୁ ଖାରଜ କରି ଦେଇଥିଲା ଓଇଆରସି । ଯାହାର ପରିଣାମ ହେଉଛି ବେଦାନ୍ତଠାରୁ ଯେଉଁ ୭୫୧ ନିୟୁତ ୟୁନିଟ୍ ପାଇବା କଥା, ଆଉ ମିଳିବ ନାହିଁ । ଫଳରେ ପ୍ରାୟ ୧୬୩ କୋଟି ଟଙ୍କା ଅଧିକ ଦାମ ଦେଇ ସମାନ ପରିମାଣର ବିଦ୍ୟୁତ କିଣିବାକୁ ବାଧ୍ୟ ହେବ ଗ୍ରିଡକୋ । ଯାହାର ଫଳ ଭୋଗିବେ ଉପଭୋକ୍ତା । ଅତିରିକ୍ତ ବିଦ୍ୟୁତ ଦରର ବୋଝ ବୋହିବେ ଗ୍ରାହକ ।

ତେବେ ପ୍ରଶ୍ନ ଉଠୁଛି..

  • ସମୟ ସୀମା ମଧ୍ୟରେ କାହିଁକି ଆବେଦନ କଲାନାହିଁ ଗ୍ରିଡକୋ?
  • କିଏ ଏହି ଦାୟିତ୍ୱରେ ଥିଲେ?
  • ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି କର୍ତ୍ତୃପକ୍ଷ? ଏପରି ମାଳ ମାଳ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠୁଛି