ରାଜ୍ୟସଭାରେ ସରକାର ଆଣିଲେ ଏଭଳି ବିଲ୍, ପାରିତ ହେଲେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ରହିବ ନାହିଁ ମୁଖ୍ୟ ବିଚାରପତିଙ୍କ ଭୂମିକା

756

କନକ ବ୍ୟୁରୋ : ଦେଶରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୂମିକାକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ବିଲ୍ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ କଂଗ୍ରେସ ତାର ପ୍ରତିକ୍ରିୟା ରଖିଛି । ଦଳ ତରଫରୁ କୁହାଯାଇଛି କି ନିର୍ବାଚନ କମିଶନଙ୍କୁ ପ୍ରଧାନମନ୍ତ୍ରୀଙ୍କ ହାତରେ କଣ୍ଡେଇ କରି ରଖିବାକୁ ସରକାର ପ୍ରୟାସ କରୁଛନ୍ତି ।

ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତିକୁ କାର୍ଯ୍ୟନିର୍ବାହୀ ହସ୍ତକ୍ଷେପରୁ ରକ୍ଷା କରିବା ଉର୍ଦ୍ଦେଶ୍ୟରେ ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ଏକ ଐତିହାସିକ ରାୟ ଦେଇଥିଲେ । ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିର ପରାମର୍ଶକ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତି ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ କେଏମ୍ ଯୋଶେଫଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ରାୟ ଶୁଣାଇ କହିଥିଲେ ଯେ ସଂସଦରେ ଏହି ପ୍ରସଙ୍ଗକୁ ନେଇ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି ମାନଦଣ୍ଡ ବଳବତ୍ତର ରହିବ ।

କହିରଖୁ କି ନିର୍ବାଚନ କମିଶନ ଅନୁପ ଚନ୍ଦ୍ର ପାଣ୍ଡେ ଆସନ୍ତା ବର୍ଷ ଫେବୃଆରୀ ୧୪ ତାରିଖରେ ଅବସର ନେବାକୁ ଯାଉଛନ୍ତି । ତେଣୁ ଆସନ୍ତା ବର୍ଷ ପ୍ରାରମ୍ଭରୁ ନିର୍ବାଚନ ଆୟୋଗରେ ଏକ ପଦ ଖାଲିପଡିବ । ନିର୍ବାଚନ କମିଶନଙ୍କ ଦ୍ୱାରା ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନର ସାମ୍ଭାବ୍ୟ ଘୋଷଣାର କିଛିଦିନ ପୂର୍ବରୁ ସେ ଅବସର ନେବେ ।

ଏହାକୁ ନେଇ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ହାତରେ ନିର୍ବାଚନ ଆୟୋଗକୁ ସମ୍ପୂର୍ଣ୍ଣ କଣ୍ଢେଇ କରିବା ପାଇଁ ଏହା ଏକ ଖୋଲା ପ୍ରୟାସ । ପକ୍ଷପାତ ନିର୍ବାଚନ କମିଶନ ନିଯୁକ୍ତି କରିବାର ଆବଶ୍ୟକତା ପ୍ରଧାନମନ୍ତ୍ରୀ କାହିଁକି ଅନୁଭବ କରୁଛନ୍ତି । ଏହା ଏକ ଅସାମ୍ବିଧାନିକ, ମନମୁଖୀ ଓ ଅନ୍ୟାୟ ବିଲ୍ ବୋଲି ବେଣୁଗୋପାଳ କହିଛନ୍ତି । ଏହାକୁ ଆମେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିବୁ ବୋଲି କେସି ବେଣୁଗୋପାଳ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।