ଆଜି ଅପରାହ୍ଣ ୪ଟାରେ ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ମୋଦୀ: ରାହୁଲଙ୍କ ପ୍ରଶ୍ନ ଉପରେ କଣ ରଖିବେ ଉତ୍ତର, ରହିଛି ନଜର

125

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଚାଲିଛି ବିତର୍କ । ଆଜି ଦିନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ଏପ୍ରସଙ୍ଗରେ ବିବୃତି ରଖିବେ । ଏନେଇ ପିଏମ୍ଓ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ଗୃହରେ କ’ଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମଣିପୁର ହିଂସା ଘଟଣାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉତର ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ହେଲେ ମୋଦୀ କେବଳ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ବାହାରେ ଘଟଣାକୁ ନିନ୍ଦା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ତେବେ ହିଂସା ମେ’ ମାସରେ ହୋଇଥିବା ବେଳେ ମୋଦୀ ମୌସୁମୀ ଅଧିବେଶନ ଯାଏ ନିଜର ମନ୍ତବ୍ୟ ରଖିବାକୁ କାହିଁକି ସମୟ ନେଲେ, କାହିଁକି ନିଜେ ହିଂସା ସ୍ଥଳ ପରିଦର୍ଶନ କଲେନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।