ଗୋପାଳ ନୁହେଁ ପାଗଳ । ଚମକାଇ ଦେଲା ମେଡିକାଲ୍ ବୋର୍ଡ ରିପୋର୍ଟ । କ୍ରାଇମବ୍ରାଞ୍ଚକୁ ନେଇ ଉଠିଲା ପ୍ରଶ୍ନ ।

103

କନକ ବ୍ୟୁରୋ: ପାଗଳ କିଏ ଓ ଏ ନେଇ କଣ କହୁଛି ଚିକିତ୍ସା ବିଜ୍ଞାନ? ଗୋଟିଏ ପଟେ ମାନସିକ ଯାଞ୍ଚ ପାଇଁ ଗୋପାଳକୁ ବେଙ୍ଗାଲୁରୁର ନିମହାନ୍ସ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମେଡିକାଲ ବୋର୍ଡ ଦର୍ଶାଇଛି ଗୋପାଳର ମାନସିକ ସ୍ଥିତି ଠିକ ରହିଛି । ଯାହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଯଦି ମେଡିକାଲ ବୋର୍ଡର ରିପୋର୍ଟ ରହୁଛି ଗୋପାଳ ପାଗଳ ନୁହେଁ, ତେବେ କାହିଁକି ବେଙ୍ଗାଲୁର ନେବାକୁ ଚାହିଁଛି କ୍ରାଇମବ୍ରାଞ୍ଚା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • ଗୋପାଳ ନୁହେଁ ପାଗଳ
  • ଚମକାଇ ଦେଲା ମେଡିକାଲ୍ ବୋର୍ଡ ରିପୋର୍ଟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ, ମାନସିକ ରୋଗର ପୀଡ଼ିତ ବା ସେ ଜଣେ ପାଗଳ ବ୍ୟକ୍ତି, ଏହାକୁ ନେଇ ବିତର୍କ ଚାଲିଥିବା ବେଳେ ଚମକାଇ ଦେଇଛି ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଦେଇଥିବା ରିପୋର୍ଟ । ଏହି ରିପୋର୍ଟରେ କୁହାଯାଇଛି…

ମେଡିକାଲ୍ ବୋର୍ଡ ରିପୋର୍ଟ

  • ଗୋପାଳ ସମ୍ପୂର୍ଣ୍ଣ ଭାବେ ସଚେତନ ଓ ସଜାଗ ରହିଛି
  • ସହଯୋଗ କରିବା ସହ କଥାବାର୍ତ୍ତା ଭଙ୍ଗୀ ଠିକ୍ ଅଛି
  • ଆଖି ସହ ଆଖି ମିଳାଇ ଭାବ ବିନିମୟ କରିପାରୁଛି
  • ପରିସ୍ଥିତି ଅନୁସାରେ ମୁଡ୍ ଓ ପ୍ରତିକ୍ରିୟା ରଖିବାରେ ସମର୍ଥ
  • ପ୍ରାସଙ୍ଗିକ ଭାବେ କଥା କହିବା ସହ ଏଥିରେ ସମନ୍ୱୟ ରଖିପାରୁଛି
  • ଚିନ୍ତାଧାରାରେ କୌଣସି ଅସ୍ୱାଭାବିକତା ନାହିଁ
  • ଧାରଣା, ଆଭିମୁଖ୍ୟରେ ମଧ୍ୟ ଅସ୍ୱାଭାବିକତା ନାହିଁ
  • ସ୍ମରଣ ଶକ୍ତି ଠିକ୍ ରହିଛି
  • ବିଚାରଧାରା, ବୁଦ୍ଧି ହାରାହାରି ଅଛି
  • ଚିନ୍ତାଶକ୍ତିରେ ଅବକ୍ଷୟ ପରିଲଖିତ ହେଉଛି

ଗୋପଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଫେବ୍ରୁଆରୀ ୪ ତାରିଖରେ ଅର୍ଥାତ୍ ନବ ଦାସଙ୍କ ହତ୍ୟାକାଣ୍ଡର ୬ ଦିନ ପରେ ଡିଏମଇଟିର ନିର୍ଦ୍ଦେଶ କ୍ରମେ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ନେଇ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ କରାଯାଇଥିଲା । କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଫେବ୍ରୁଆରୀ ୫ ତାରିଖ ଦିନ ରିପୋର୍ଟ ଦେଇଥିଲା । ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡର ରିପୋର୍ଟକୁ ଅନୁଧ୍ୟାନ କରିଥିଲେ ଝାରସୁଗୁଡ଼ା ଅତିରିକ୍ତ ସେସନ୍ ଜଜ୍ କୋର୍ଟ । ମାମଲାର ଶୁଣାଣି କରି କ୍ରାଇମ୍ବ୍ରାଞ୍ଚର ରିଭିଜନ ପିଟିସନକୁ ଖାରଜ କରି ଦେଇଥିଲେ ଝାରସୁଗୁଡ଼ା ଅତିରିକ୍ତ ସେସନ୍ ଜଜ୍ । ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟଙ୍କ ଅନୁଧ୍ୟାନ ହେଉଛି…

  • ଗୋପାଳ ମାନସିକ ରୋଗରେ ପୀଡ଼ିତ ବୋଲି ଉଲ୍ଲେଖ କରିନାହାନ୍ତି ମେଡିକାଲ୍ ବୋର୍ଡ
  • ଅଭିଯୁକ୍ତକୁ ପୁଲିସ ହେପାଜତରେ ନିମ୍ହାନ୍ସ ପଠାଇବା ଅର୍ଥ ହେଉଛି ଅଭିଯୁକ୍ତକୁ ପୁଲିସ ହାତରେ ପୁଣିଥରେ ଅର୍ପଣ କରିବା
  • ୧୫ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ଅଭିଯୁକ୍ତକୁ ବେଙ୍ଗାଲୁରୁ ପଠାଇବା ପାଇଁ ଅନୁମତି ଦେବା ଆଇନଗତ ଭାବେ ଠିକ୍ ନୁହେଁ

ଏବେ ପ୍ରଶ୍ନ ଉଠୁଛି, ଗୋପାଳ ପାଗଳ ନୁହେଁ ବୋଲି ମେଡିକାଲ୍ ବୋର୍ଡର ରିପୋର୍ଟରୁ ଜଣାପଡିବା ପରେ, ଗୋପାଳର ମାନସିକ ଯାଞ୍ଚ ପାଇଁ ନିମହାନ୍ସ ପଠାଇବାକୁ କାହିଁକି ଚାହୁଁଛି କ୍ରାଇମବ୍ରାଞ୍ଚ?