ପ୍ଲାଷ୍ଟିକ ବଦଳରେ କ୍ଷୀର: ୧୦ଟି ପ୍ଲାଷ୍ଟିକ ବୋତଲ ଦିଅନ୍ତୁ, ଗୋଟେ ପ୍ୟାକେଟ କ୍ଷୀର ନେଇଯାଆନ୍ତୁ… ପରିବେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଭିନ୍ନ ଏକ ପ୍ରୟାସ

403

କନକ ବ୍ୟୁରୋ: ପ୍ଲାଷ୍ଟିକ ଦିଅନ୍ତୁ କ୍ଷୀର ନିଅନ୍ତୁ… ୧୦ଟି ପ୍ଲାଷ୍ଟିକ ବୋତଲ ଦେଇ ଗୋଟେ ପ୍ୟାକେଟ କ୍ଷୀର ନେଇଯାଆନ୍ତୁ । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ହରିୟାଣାରେ ଏଭଳି ଏକ ପଦକ୍ଷେପ ନିଆଯାଇଛି ।

ତେବେ ବ୍ୟବହାର ପରେ ଅଦରାକାରୀ ହୋଇ ପଡିଥିବା ୧୦ଟି ପ୍ଲାଷ୍ଟିକ୍ ବୋତଲ ବଦଳରେ ମାଗଣାରେ କ୍ଷୀର ପ୍ୟାକେଟ ଦେବା ଚର୍ଚ୍ଚାର ବିଷୟ ପାଲଟିଛି । ହରିୟାଣା ପଞ୍ଚକୁଲା ନଗର ନିଗମ ସହରକୁ ୨୦୨୦ରେ ଶ୍ରେଷ୍ଠ ୨୦ ସହର ଭିତରେ ପଞ୍ଚକୁଲାକୁ ସ୍ଥାନ ଦେବାକୁ ଏପରି ଏକ ଏକ୍ସଚେଂଜ ଅଫର ହାତକୁ ନେଇଛନ୍ତି । ସହରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଯୋଜନା ଅଧିନରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଏହାକୁ ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି । ଅଧିକ ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ ଆଣି କ୍ଷୀର ନେବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି ।

ଅଦରକାରୀ ପ୍ଲାଷ୍ଟିକ ବୋତଲ ବଦଳରେ କ୍ଷୀର ଦେଇ ପରୋକ୍ଷରେ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ ପରି ବର୍ଜ୍ୟବସ୍ତୁକୁ ବାହାରେ ନଫିଙ୍ଗିବାକୁ ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି ପଞ୍ଚକୁଲା ପ୍ରଶାସନ । ୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ୍ କ୍ଷୀର କିଂବା ଦହି , ୭ଟି ପ୍ଲାଷ୍ଟିକ ବୋତଲ ବଦଳରେ ୨୦୦ ଗ୍ରାମ ଦହି, ୫ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ବ୍ରେଡ ମଧ୍ୟ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଏହି ବେଷ୍ଟ ଏକ୍ସଚେଂଜ ଅଫର ପଞ୍ଚକୁଲାର ସେକ୍ଟର ୭, ୮, ୯ ଓ ୧୧ରେ ଥିବା ବିଶେଷ ଷ୍ଟଲରେ ଲାଗୁ ହୋଇଛି ।