ମୁମ୍ବାଇ ବିମାନ ବନ୍ଦରରେ ଅଜବ ଘଟଣା, ଯାତ୍ରୀଙ୍କ ପେଟରୁ ବାହାରିଲା ୧୩ କୋଟି ଟଙ୍କାର କୋକେନ

1,198

କନକ ବ୍ୟୁରୋ : ନିଶା ମାଫିଆମାନଙ୍କ କାରନାମା ବେଳେ ବେଳେ ଆପଣଙ୍କୁ ଚକିତ କରିଥାଏ । କେତେବେଳେ ନିଶା ବେପାରୀମାନେ ଖାଦ୍ୟ ସାମଗ୍ରୀ ବୋଝେଇ ଗାଡିରେ ନିଶା କାରବାର କରିଥାନ୍ତି ତ କେତେବେଳେ କାଠ ଗାଡିରେ । ହେଲେ ଏବେ ମୁମ୍ବାଇ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ପେଟ ଭିତରୁ ୧୩ କୋଟି ଟଙ୍କାର କୋକେନ ବାହାରିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି  ।

ସମାଚାର ଏଏନଆଇ ମୁତାବକ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସୀମାଶ୍ଳୁକ ବିଭାଗ ପକ୍ଷରୁ ଜଣେ ବିଦେଶୀ ଯାତ୍ରୀଙ୍କ ପେଟରୁ ୧୩ କୋଟି ଟଙ୍କାର ୮୭ ଟି କୋକେନ ଟ୍ୟାବଲେଟ ବାହାର କରାଯାଇଛି । ଏନେଇ ସୀମାଶ୍ଳୁକ ବିଭାଗ କହିଛନ୍ତି ଜବତ ହୋଇଥିବା କୋକିନର ଓଜନ ୧୩ଶହ ଗ୍ରାମ ଓ ଏହାର ବଜାର ମୂଲ୍ୟ ୧୩ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣା ଅଗଷ୍ଟ ୨୮ ତାରିଖରେ ଘଟିଛି । ଘାନାର ଜଣେ ଯାତ୍ରୀ ଅଗଷ୍ଟ ୨୮ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ଓହ୍ଳାଇଥିଲେ । ତାଙ୍କ ଉପରେ ସୀମାଶ୍ଳୁକ ବିଭାଗର ସନ୍ଦେହ ହୋଇଥିଲା । ଏହାପରେ ସେମାନେ ତାକୁ ପଚରା ଉଚରା କରିବା ସହ ତାଙ୍କ ବ୍ୟାଗଗୁଡିକର ତଲାସୀ ନେଇଥିଲେ ବି କିଛି ମିଳି ନଥିଲା । ଏହାପରେ ସର୍ଚ୍ଚ ମେସିନ ସହାୟତାରେ ଜଣାପଡିଥିଲା କି ଯାତ୍ରୀଙ୍କ ପେଟରେ ୮୭ ଟି କ୍ୟାପସୁଲ ରହିଛି ।

ଏହାପରେ ଯାତ୍ରୀଜଣଙ୍କୁ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ୩ ଦିନ ଲାଗି ଯାତ୍ରୀଙ୍କ ପେଟରୁ ଏହି ୮୭ ଟି କୋକେନ କ୍ୟାପସୁଲ ବାହାର କରିଛନ୍ତି । ଏବେ ଯାତ୍ରୀ ଜଣଙ୍କୁ ଗିରଫ କରାଯାଇ ଯାଂଚ କରାଯାଉଛି ।