ସଭାପତି ରେସରୁ ଓହରିଲେ ଗେହଲଟ । ଚାଲିଯାଇପାରେ ମୁଖ୍ୟମନ୍ତ୍ରୀ ପଦବୀ

195

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ରାଜସ୍ଥାନରେ ଦେଖାଦେଇଥିବା ରାଜନୈତକ ସଙ୍କଟ ଭିନ୍ନ ମୋଡ ନେଇଛି । ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟି ଦେଢ ଘଂଟା ଆଲୋଚନା ପରେ କହିଛନ୍ତି ଅଶୋକ ଗେହଲଟ । ଏବଂ ରାଜସ୍ଥାନରେ ଦେଖିଦେଇଥିବା ବିଶୃଙ୍ଖଳା ପାଇଁ ସୋନିଆଙ୍କୁ କ୍ଷମା ମାଗିଛନ୍ତି ଗେହଲଟ । କିନ୍ତୁ ଦିନ କି ଦୁଇ ଦିନ ମଧ୍ୟରେ ରାଜସ୍ଥାନ ନୂଆ ମୁଖ୍ୟମନ୍ତ୍ରୀ ପାଇବ ବୋଲି କହିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ । ରାଜସ୍ଥାନରେ କୌଣସି ଡ୍ରାମା ଚାଲିବ ନାହିଁ, ଦୁଇ ଦିନ ଭିତରେ ସବୁକିଛି ସ୍ପଷ୍ଟ ହୋଇଯିବ ଏବଂ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବ ତାହା ଆପଣମାନେ ଜାଣିପାରିବେ ବୋଲି କହିଛନ୍ତି ବେଣୁଗୋପାଳ ।

ତିନି ଦିନ ପୂର୍ବରୁ କଂଗ୍ରେସ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି କହିଥିବା ବରିଷ୍ଠ ନେତା ଦିଗବିଜୟ ସିଂ ନିର୍ବାଚନ ଲଢିବା ନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି । ବୁଧବାର ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଶୁକ୍ରବାର ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି ଦିଗବିଜୟ ସିଂ । ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଥିବାରୁ ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ହେବ ଲଢେଇ । କିନ୍ତୁ ଗାନ୍ଧୀ ପରିବାରର ସମର୍ଥନ ଦିଗବିଜୟଙ୍କ ସହ ରହିଥିବାରୁ ସେ ହିଁ କଂଗ୍ରେସର ନୂଆ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୧୭ ତାରିଖ ନିର୍ବାଚନ ହେବ । ଆଉ ଦିର୍ଘ ୨୪ ବର୍ଷ ପରେ କଂଗ୍ରେସ ଦେଖିବ ଅଣ ଗାନ୍ଧୀ ମୁଖିଆ । ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପରିବର୍ତନ ହେବ ନା ଗେହଲଟ ମୁଖ୍ୟମନ୍ତ୍ରୀ ରହିବେ ତାକୁ ନେଇ ଏବେବି ଜାରି ରହିଛି ସସପେନ୍ସ ।