କ୍ୟାପ୍ସିକମ୍ ଚାଷରୁ ଭଲ ରୋଜଗାର । ବର୍ଷକୁ ୧୫ରୁ ୨୦ ଲକ୍ଷ ରୋଜଗାର କରୁଛନ୍ତି ଗୌସିଂହ ନାଗ ।

877

କନକ ବ୍ୟୁରୋ: ଆଜିର ଯୁବପିଢି ପାଠପଢ଼ି ଚାକିରି କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଚାଷ କାମ କରିବାକୁ ଖୁବ୍ କମ୍ ଯୁବପିଢ଼ି ଆଗକୁ ଆସନ୍ତି । କିନ୍ତୁ ଚାକିରି ଅପେକ୍ଷା ଚାଷରୁ ଯେ ଅଧିକ ରୋଜଗାର ମିଳିଥାଏ । ଆଉ ଏହି କାମକୁ ଆପଣାଇ ଏକ ଉନ୍ନତମାନର ଜୀବନ ବଞ୍ଚିହୁଏ ଏହାକୁ ପ୍ରମାଣିତ କରିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟୁରି ହଳଦୀ ଗାଁର ଚାଷୀ ଗୌସିଂହ ନାଗ ।

୫ ଏକର ଜମିରେ ଲାଗିଛି କ୍ୟାପ୍ସିକମ୍ । ଧାଡ଼ି ପ୍ରଣାଳି, ବୁନ୍ଦା ଜଳସେଚନ ଓ ପଲ୍ଲି ହାଉସ ଭଳି ଅତ୍ୟାଧୁନିକ ପ୍ରଣାଳିରେ କ୍ୟାପ୍ସିକମ୍ ଚାଷ କରିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟୁରି ହଳଦୀ ଗାଁର ଚାଷୀ ଗୌସିଂହ ନାଗ । ଏହି ଚାଷରୁ ତାଙ୍କୁ ବାର୍ଷିକ ୧୫ରୁ ୨୦ ଲକ୍ଷ ଟଙ୍କାର ରୋଜଗାର ମିଳିପାରୁଛି । ଉଦ୍ୟାନ ବିଭାଗ ପକ୍ଷରୁ ଗୌସିଂହ ନାଗଙ୍କୁ ମିଳିଛି ସମସ୍ତ ସହାୟତା । ଉଦ୍ୟାନ ବିଭାଗ ସହାୟତାରେ ସେ କ୍ୟାପ୍ସିକମ୍ ଚାଷରେ ସଫଳ ହୋଇଛନ୍ତି । ଉତ୍ପାଦିତ ହେଉଥିବା କ୍ୟାପ୍ସିକମ୍ ସ୍ଥାନୀୟ ବଜାର ସହ ନିକଟସ୍ଥ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । କିଲୋପ୍ରତି ୫୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ଚାଷୀ ଗୌସିଂହ । କ୍ୟାପ୍ସିକମ୍ ସହିତ ତାଙ୍କ ଜମିରେ ବ୍ରୋକଲି, କୋବି ଓ ବାଇଗଣ ଚାଷ କରିଛନ୍ତି ଚାଷୀ ଗୌସିଂହ ନାଗ ।

ପ୍ରଥମେ ଗୌସିଂହ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ସହାୟତାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ୱେଷ୍ଟବେଙ୍ଗଲ ଯାଇ ସେଠାରୁ କ୍ୟାପ୍ସିକମ୍ ଚାଷ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ନିଜ ଗାଁକୁ ଆସି ପରିକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ କରିଥିଲେ । ଆଉ ଏବେ କ୍ୟାପ୍ସିକମ୍ ଚାଷ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ପ୍ରତିଦିନ ତାଙ୍କ ଜମିରୁ ୩୦ରୁ ୪୦ କେଜି କ୍ୟାପ୍ସିକମ୍ ଅମଳ ହେଉଛି । ଏହି କାମରେ ସେ ୧୦ରୁ ୧୫ ଜଣଙ୍କୁ ନିୟୋଜିତ କରିଛନ୍ତି । ତାଙ୍କ ଜମିରେ କାମ କରି କିଛି ରୋଜଗାର କରିପାରୁଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବରୁ ପନିପରିବା ଚାଷ କରୁଥିଲେ ଗୌସିଂହ ନାଗ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଚାଷ କରି ସେ ଲାଭବାନ ହୋଇଛନ୍ତି । ଆଗକୁ ଆହୁରି ଅଧିକ ଜମିରେ ସେ ଏହି ଚାଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଧର୍ମଗଡ଼ ଅଞ୍ଚଳରେ ପ୍ରଚୁର ପରିମାଣର ପରିବା ଚାଷ ହେଉଥିବା ବେଳେ ଶୀତଳଭଣ୍ଡାର ନଥିବରୁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଚାଷୀ ।