ବିଲରେ ହସୁଛି ସୁଆଦିଆ ମକା । ମାଲକାନଗିରିରେ ବଢୁଛି ମକା ଚାଷର ଚାହିଦା । ଚର୍ଚ୍ଚାରେ ଏମଭି-୪୩ ଗାଁର ମକା ଚାଷୀ ସୂର୍ଯ୍ୟ ନମୋ ।

85

କନକ ବ୍ୟୁରୋ: ରାଜ୍ୟରେ ମକା ଚାଷ କହିଲେ ନବରଙ୍ଗପୁର ଜିଲ୍ଲାକୁ ବୁଝାଇଥାଏ । ଆଉ ନବରଙ୍ଗପୁର ମକା ଚାଷରୁ ଅନୁପ୍ରାଣିତ ହୋଇ ମାଲକାନଗିରି ଜିଲ୍ଲାରେ ବଢୁଛି ମକା ଚାଷର ଚାହିଦା । ମାଲକାନଗିରି ପୌରାଞ୍ଚଳ ସ୍ଥିତ ଏମଭି-୪୩ ଗାଁର ସୁର୍ଯ୍ୟ ନମୋଙ୍କ ମକା ବିଲରେ କୁଇଣ୍ଟାଲ କୁଇଣ୍ଟାଲ ମକା ଫଳିଛି । ଆଉ ଏଥି ପାଇଁ ଝାଳ ବୁହା ପରିଶ୍ରମ କରିଛନ୍ତି ସୂର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଗୀତା ନମୋ ।

ଗତ ୮ ବର୍ଷ ଧରି ରବି ଋତୁରେ ସୂର୍ଯ୍ୟ ଦୁଇ ଏକର ଚାଷ ଜମିରେ ମକା ଚାଷ କରି ଆସୁଛନ୍ତି । ତେବେ ରେଳ ପ୍ରକଳ୍ପରେ ସୂର୍ଯ୍ୟଙ୍କ ଚାଷ ଜମି ଅଧିଗ୍ରହଣ ହେବାକୁ ଥିବାରୁ ଗତ ୨ ବର୍ଷ ଚାଷ କରି ନଥିଲେ ସୂର୍ଯ୍ୟ । ପ୍ରକଳ୍ପରେ ବିଳମ୍ବ ଯୋଗୁ ଏଥର ନିଜ ଭାଇର ଜମିକୁ ମିଶାଇ ୪ ଏକର ଜମିରେ ଦେଶୀ ମକା ଫଳାଇଛନ୍ତି ସର୍ଯ୍ୟ । ଏଥିପାଇଁ ଏକର ପିଛା ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାୟ ୭୦ ହଜାର ଟଙ୍କା ଏକର ପିଛା ରୋଜଗାର କରନ୍ତି ସୂର୍ଯ୍ୟ ଓ ତାଙ୍କ ପତ୍ନୀ ।

  • ପରିବାର ପୋଷୁଛି ଦେଶୀ ମକା
  • ବଜାରରେ ରହିଛି ବେଶ ଚାହିଦା
  • ମକା ମିଶନରେ ସାମିଲ ହେଲା ମାଲାକାନଗିରି

ସୁଇଟ କର୍ଣ୍ଣ, ଡେନ୍ଟ କର୍ଣ୍ଣ, ପପ୍ କର୍ଣ୍ଣ ଏବଂ ବେବି କର୍ଣ୍ଣ ପରି ୪ ପ୍ରକାରର ମକା ଉପଲବ୍ଧ ହେଉଥିବା ବେଳେ ସୂର୍ଯ୍ୟଙ୍କ ଡେନ୍ଟ କର୍ଣ୍ଣ ବା ଦେଶୀ ମକାର ମାଲକାନଗିରି ବଜାରରେ ବେଶ ଚାହିଦା ରହିଛି । ସ୍ଥାନୀୟ ବ୍ୟବସାୟୀ ମାନେ ସୂର୍ଯ୍ୟଙ୍କ ମକା ମାଡ ରୁ ୭ ରୁ ୮ ଟଙ୍କା ଦରରେ ମକା କିଣି ବଜାରରେ ୧୦ ଟଙ୍କାରେ ବିକ୍ରି କରନ୍ତି ।

ଚଳିତ ବର୍ଷ ରବି ଋତୁରେ ୨୦୦୦ ହେକ୍ଟର ଜମିରେ ମକା ଚାଷ ହେବା ଲାଗି କୃଷି ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ନବରଙ୍ଗପୁରୁ ଜିଲ୍ଲା ପରି ମାଲକାନଗିରି ଜିଲ୍ଲାରକୁ ମୁଖ୍ୟମନ୍ତ୍ରୀ ମକା ମିଶନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଖଇରପୁଟ, ମାଥିଲି ଓ କୋରୁକୋଣ୍ଡା ବ୍ଲକକୁ ଏଥିରେ ସାମିଲ କରାଯାଇଛି । ଅର୍ଥାତ ଏଣିକି ଚାଷ ପାଇଁ ସରକାରୀ ସହାୟତା ଠାରୁ ଆରମ୍ଭ କରି ବିକ୍ରୟ ପର୍ଯ୍ୟନ୍ତ ସବୁ ସୁବିଧା ପାଇବେ ମକା ଚାଷୀ ।

ପିଲାଙ୍କ ଛତୁଆ ପ୍ରସ୍ତୁତି ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟର ସୁଆଦିଆ ଖାଦ୍ୟ ପ୍ରସ୍ତୁତିର ବ୍ୟବହାର ହୁଏ ମକା । ତେବେ ଜିଲ୍ଲାରେ ଏବେ ଡେନ୍ଟ କର୍ଣ୍ଣ ସମେତ ସ୍ୱିଟ କର୍ଣ୍ଣ ଉତ୍ପାଦନ ହେଉଥିବାବେଳେ ଆଗକୁ ବେବି କର୍ଣ୍ଣ ଓ ପପ୍ କର୍ଣ୍ଣ ଉତ୍ପାଦନ ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରିବ କୃଷି ବିଭାଗ ।