ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଝଟକା: ଏଫଆଇଆର ଦାୟର ପ୍ରସଙ୍ଗରେ ଆବେଦନର ଶୁଣାଣି କରିବେ ନାହିଁ କହିଲେ ସୁପ୍ରିମକୋର୍ଟ 

318

କନକ ବ୍ୟୁରୋ: ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଝଟକା । ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନକୁ ଶୁଣାଣି କରିବେ ନାହିଁ କହିଲେ ସର୍ବୋଚ୍ଚ କୋର୍ଟ । ଏଫଆଇଆର ଦାୟର ହେବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା । ଯେହେତୁ ପୋଲିସ ଏଫଆଇଆର ଦାୟର କରିସାରିଛି । ତେଣୁ ଏହି ମାମଲାରେ ଆଗକୁ ଆଉ ଶୁଣାଣି କରିବେ ନାହିଁ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି । ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଆବେଦନ ଥିଲେ ତଳ କୋର୍ଟ ଯାଇପାରିବେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା । ଏହା କହିଛନ୍ତି ସୁପ୍ରିମକୋର୍ଟ ।

ସେହିପରି ଗତକାଲି ରାତିରେ ପୋଲିସ ଏବଂ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏ ପ୍ରସଙ୍ଗରେ ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇ କହିଛନ୍ତି, ଗତକାଲି ରାଜନୈତିକ ଦଳର ନେତା ବେଡ୍ ନେଇ ଆନ୍ଦୋଳନ ସ୍ଥାନକୁ ଆସିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । କିନ୍ତୁ ପୋଲିସ ମଦ ପିଇବାକୁ ନେଇ ଯେଉଁ ଅଭିଯୋଗ ରହିଛି ତାହା ସତ୍ୟ ନୁହେଁ ବୋଲି କହିଛନ୍ତି ସଲିସିଟର ଜେନେରାଲ । ଧାରଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ବୋଲି ସଲିସିଟର ଜେନେରାଲ କହିଛନ୍ତି ।