୩୪୦୦ ପ୍ରକାର ଅପରାଧକୁ ଅପରାଧମୁକ୍ତ କରିବ ଜନ ବିଶ୍ୱାସ ବିଲ୍,ମୌସୁମୀ ଅଧିବେଶନ ପାଇଁ ୨୨ଟି ବିଲ୍ ପ୍ରସ୍ତୁତ କଲା କେନ୍ଦ୍ର ସରକାର

733

କନକ ବ୍ୟୁରୋ : ରବିବାର ଦିନ କଂଗ୍ରେସ ତରଫରୁ ସେବା ସହିତ ଜଡିତ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବ ବୋଲି ସ୍ପଷ୍ଟ କରିଛି । କଂଗ୍ରେସ କହିଛି କି, ଲୋକତାନ୍ତ୍ରିକ ରୂପେ ନିର୍ବାଚିତ ସରକାରଙ୍କ ସାମ୍ବିଧାନିକ ଅଧିକାର ଉପରେ ମୋଦୀ ସରକାର ଆକ୍ରମଣ କରୁଛନ୍ତି । ସେପଟେ କେନ୍ଦ୍ର ସରକାର ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଆଗାମୀ ଅଧିବେଶନରେ ଦିଲ୍ଲୀ ସେବା, ଡାଟା ପ୍ରୋଟେକ୍ସନ, ଜନ ବିଶ୍ୱାସ, ବନ ସଂରକ୍ଷଣ ଭଳି ଅନେକ ବିଧେୟକ ଆଣିବା ନେଇ ସମ୍ଭାବନା ଦେଖାଦେଇଛି । ଏସବୁ ବିଧେୟକକୁ ବିରୋଧୀଦଳମାନେ ପ୍ରଥମରୁ ବିରୋଧ କରିଆସୁଛନ୍ତି  ।

ଜନ ବିଶ୍ୱାସ ବିଧେୟକ ୨୦୨୨, ୪୨ ଆଇନର ୧୮୧ ପ୍ରାବଧାନରେ ସଂଶୋଧନ କରିବା ଓ ଅପରାଧିକ ପ୍ରାବଧାନକୁ ତର୍କ ସଂଗତ କରିବାକୁ ପ୍ରଚେଷ୍ଠା କରିଥାଏ । ଏହି ବିଧେୟକ ଯୁଗ୍ମ କମିଟିକୁ ପଠାଯିବା ପୂର୍ବରୁ ଗତ ସଂସଦ ଅଧିବେଶନରେ ଏହି ବିଲ ଆଗତ କରିବା ସମୟରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ କି ଦେଶରେ ଏଭଳି ଆଇନ ରହିଛି ଯେଉଁଥିରେ ସାମାନ୍ୟ ଅପରାଧ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି । ଯେଉଁଥିରେ ଅନେକ ସମୟରେ ବ୍ୟକ୍ତିବିଶେଷଙ୍କୁ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡିଥାଏ । ସେ ତାଙ୍କ ମନ୍ତବ୍ୟରେ କହିଥିଲେ କି ଆଇନରେ ଥିବା ପୁରୁଣା ବ୍ୟବସ୍ଥାଗୁଡିକୁ ଉଚ୍ଛେଦ କରିବା ଦ୍ୱାରା ଅଦାଲତ ଉପରେ ବୋଝ ହ୍ରାସ କରିବାରେ ସହାୟକ ହେବ ।

ବିଲରେ କୁହାଯାଇଛି କି,ନିବେଶକଙ୍କ ଆତ୍ମବିଶ୍ୱାସ ବଢାଇବା ଏବଂ ଦେଶର ସୁବିଧାରେ ବ୍ୟବସାୟ କରିବାରେ ସୁଯୋଗ ପାଇଁ ବ୍ୟବସାୟ ଇକୋସିଷ୍ଟମ ଏବଂ ବ୍ୟକ୍ତିଗତ ଆତ୍ମବିଶ୍ୱାସର ବିକାଶରେ ବାଧା ସୃଷ୍ଟି କରୁଥିବା ଛୋଟ ଛୋଟ ଅପରାଧ ପାଇଁ ଜେଲ ଯିବାର ଭୟକୁ ଦୂର କରିବାର ପ୍ରୟାସ ବୋଲି ବିଲରେ କୁହାଯାଇଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଆଇନର ପରିବର୍ତ୍ତନ ପାଇଁ ୧୯ଟି ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହୋଇଥିଲା ।

ରିପୋର୍ଟରେ କୁହାଯାଇଛି କି, ୧୫୦ରୁ ଉର୍ଦ୍ଧ କର୍ମଚାରୀ ଥିବା ହାରାହାରି ଉତ୍ପାଦନକାରୀ ସଂସ୍ଥା ବର୍ଷକୁ ୫୦୦ରୁ ୯୦୦ କର୍ମଚାରୀ କାମ କରୁଥିବା ବେଳେ ପ୍ରତିବର୍ଷ ଏହାର ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା ହୋଇଥାଏ । ଏହା ବ୍ୟତୀତ କେତକ ଉଦ୍ୟୋଗୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଏ । ଯାହା ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ନିବେଶକଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିଥାଏ ।

ଜନ ବିଶ୍ୱାସ ବିଲର ଆବଶ୍ୟକତା ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜେପିସି ରିପୋର୍ଟରେ ୪୨ଟି ଆଇନରେ ଅନୁପାଳନର ବୋଝକୁ ୩୫ ହଜାରରୁ ଅଧିକ ହ୍ରାସ କରିବା ଏବଂ ଆର୍ଥିକ ଜରିମାନା ସହିତ ୩୪୦୦ ଆଇନଗତ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେଥିମଧ୍ୟରୁ ପ୍ରାୟ ୩୦ ଟି ଆଇନ ଶିଳ୍ପ ଓ ବାଣିଜ୍ୟ ସହ ସିଧାସଳଖ ଜଡିତ । ଶିଳ୍ପ ଆଇନ ହେଉ କି ଟ୍ରେଡମାର୍କ ଆକ୍ଟ, ଏପରିକି ଖାଦ୍ୟ ସୁରକ୍ଷା ଆଇନ ହେଉ କିମ୍ବା ଆଇଟି ଆକ୍ଟ, ଉପଯୁକ୍ତ ଜରିମାନା ଆଦାୟ କରିବାର ବ୍ୟବସ୍ଥା ହେବା ଦରକାର । ଯାହା ଜନ ବିଶ୍ୱାସ ବିଲରେ ପ୍ରସ୍ତାବ ରହିଛି ।