ଶିିମିଳିପାଳରେ କେତେ ସୁରକ୍ଷିତ ବନ୍ୟଜନ୍ତୁ? ଅଭୟାରଣ୍ୟ ଭିତରୁ ଦେଢ ମାସରେ ଗିରଫ ହେଲେଣି ୧୮ ଶିକାରୀ

100

କନକ ବ୍ୟୁରୋ: ଶିମିଳିପାଳରେ ବେଧଡକ ବୁଲୁଛନ୍ତି ଶିକାରୀ । ବନ୍ଧୁକ ଧରି ଅଭୟାରଣ୍ୟ ଭିତରେ କରୁଛନ୍ତି ବନ୍ୟଜନ୍ତୁ ଶିକାର । ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଶିମିଳିପାଳ ଉପରେ ରହିଛି ପୁଲିସର ନଜର । ଅଭୟାରଣ୍ୟ ପଦ ଦେଶରେ ଥିବା ଗାଁରେ ଚଢାଉ କରି ଶିକାରୀଙ୍କୁ ଗିରଫ କରିବା ସହ ମାଳମାଳ ବନ୍ଧୁକ ଜବତ କରୁଛି ମୟୂରଭଂଜ ପୁଲିସର ସ୍ପେଶାଲ ସ୍କାର୍ଡ ।

ଶିମିଳିପାଳ ଅଭୟାରଣ ପାଦଦେଶରେ ଥିବା ବଡସାହି ଥାନା ଅନ୍ତର୍ଗତ ରେଂଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ଼, ହାତୀକୋଟ ଅଂଚଳରେ ଘନଘନ ଚଢ଼ାଉ କରୁଛି ପୁୁଲିସ । ଗତ ୧୪ ଓ ୧୫ ତାରିଖରେ ଚଢାଉ ବେଳେ ବେଆଇନ ବନ୍ଧୁକ ଜବତ କରିବା ସହ ଶିକାରୀ ଗିରଫ ହୋଇଛନ୍ତି । ୧୪ ତାରିଖରେ ଯଦୁନାଥପୁର ଗାଁରେ ଚଢାଉ ବେଳେ ଯଦୁନାଥ ହାଁସଦା, ଠାକୁର ସିଂ, ମଧୁ ସିଂକୁ ଗିରଫ କରିିଥିଲା ପୁଲିସ । ସେହିଭଳି ୧୫ ତାରିଖରେ ଗିରଫ ଶିକାରୀମାନେ ହାତୀକୋଟ ଗାଁର ମହେନ୍ଦ୍ର ସିଂ, ଶ୍ୟାମସୁନ୍ଦର ସିଂ ଓ ମଦନ ସିଂ ବୋଲି ଜଣାପଡିଛି । ଅନ୍ୟ ଏକ ସର୍ଚ୍ଚ ଅପରେସନରେ ଖୁଂଟା ଥାନା ଅନ୍ତର୍ଗତ ବହଳଦା ଜଙ୍ଗଲରେ ଶିକାରୀ ଲୁଚାଇଥିବା ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଦୁଇ ଦିନର ଅପରେସନ୍ରେ ମୋଟ ୧୧ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୂର୍ବାଂଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।

ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ବିମଲ ଜେନା ଓ ମାଥି ହଂସଦାଙ୍କ ମୃତ୍ୟୁ ପରେ ଶିମିଳିପାଳ ସୁରକ୍ଷା ଦାୟିତ୍ୱ ପୁଲିସକୁ ଦିଆଯାଇଛି । ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱ ମିଳିବା ପରେ ମେ’ ୨୭ ତାରିଖରୁ ବାରମ୍ବାର ଚଢାଉ କରୁଛି ମୟୂରଭଂଜ ପୁଲିସର ସ୍ପେଶାଲ ସ୍କାର୍ଡ । ଆଇ ଏହି ସମୟ ମଧ୍ୟରେ ୮ଟି ମାମଲାରେ ୧୮ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଶିକାରୀଙ୍କ ପାଖରୁ ୧୭ଟି ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ମୟୂରଭଂଜ ପୁଲିସ ।

ଶିମିଳିପାଳରେ ଚଢାଉ କରି ପୁଲିସ ଏତେ ପରିମାଣରେ ଦେଶୀ ବନ୍ଧୁକ ଜବତ କରିବା ପରେ ଅଭୟାରଣ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ସଂପୂର୍ଣ୍ଣ ଶିମିଳିପାଳ ଶିକାରୀଙ୍କ ଜବଜ୍ରେ ନାହିଁ ତ? ଅଭୟାରଣ୍ୟ ଭିତରେ ଥିବା ଗାଁରେ ଶିକାରୀମାନେ ଦେଶୀ ବନ୍ଧୁକ ରଖୁଥିବା ବେଳେ ବନବିଭାଗ ଏତେ ଦିନ ଧରି କରୁଥିଲା କ’ଣ? କାହିଁକି ଆଗରୁ ପୁଲିସର ସହାୟତା ନେଉନଥିଲା ବିଭାଗ? ଶିକାରୀଙ୍କ ସହ ବନ ବିଭାଗର କିଛି କର୍ମଚାରୀଙ୍କ ସଂପର୍କ ନାହିଁ ତ?