କେମିତିି ଠକେଇ କରୁଥିଲା କୁଖ୍ୟାତ ଠକ କୈଫି ଖାନ୍ : ସାମନାକୁ ଆସିଲା ଠକେଇର ଭିଡିଓ

172

କନକ ବ୍ୟୁରୋ : କେମିତି ଠକେଇ କରୁଥିଲା ଠକ ତାନ୍ତ୍ରିକ କୈଫି ଖାନ୍ । ସାମ୍ନାକୁ ଆସିଲା କୈଫିର ଠକେଇ ବେଳର ଭିଡିଓ । ଠକେଇ କରୁଥିବା ଟଙ୍କାର ହିସାବ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି । ଏଥିରେ କୈଫିଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ରହିଛନ୍ତି । ସେପଟେ ଆଜିଠୁ ରିମାଣ୍ଡରେ ଯିବ ଠକ ତାନ୍ତ୍ରିକ କୈଫି ଖାନ । ୪ ଦିନିଆ ରିମାଣ୍ଡରେ ନେଇ କୈଫିଙ୍କୁ ପଚରାଉଚରା କରିବ ପୋଲିସ ।

ଆଜି ଚୌଦ୍ୱାର ସର୍କଲ ଜେଲରୁ ମଙ୍ଗଳବାଗ ଥାନାକୁ ଆଣିବ ପୋଲିସ । ଶନିବାର ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ସେଦିନ କୋର୍ଟରେ ହାଜର କରାଯିବ । ୫ଦିନିଆ ରିମାଣ୍ଡ ପାଇଁ ଜେଏମ୍ଏଫସି ସିଟି କୋର୍ଟରେ ଆବେଦନ କରିଥିଲା ମଙ୍ଗଳାବାଗ ପୋଲିସ । ହେଲେ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । କୁଖ୍ୟାତ ଠକ କୈଫି ଖାନର ଠକେଇ କାରନାମା ଜିଲ୍ଲାରୁ ଜିଲ୍ଲାକୁ ଡେଇଁବାରେ ଲାଗିଛି ।

କଟକ, ଭଦ୍ରକ ପରେ ପଡ଼ୋଶୀ ଜଗତସିଂହପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଘରୁ ଅଦୃଶ୍ୟ ଶକ୍ତିକୁ କାବୁ କରିବାକୁ କହି ୨୧ ଲକ୍ଷ ୯୫ ହଜାର ଟଙ୍କା ଠକି ନେଇଛି କୈଫି । ଅଭିଯୋଗକାରୀ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଛନ୍ତି । ଏବେ ଠକ କୈଫି ଖାନ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି । ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଲୋକଙ୍କ ଠାରୁ ଠକିଛି ତାନ୍ତ୍ରିକ କୈଫି ଖାନ ।