ସିଦ୍ଧାନ୍ତ ମହାପାତ୍ରଙ୍କ ଗୋପାଳପୁର ଗସ୍ତ ନେଇ ଚର୍ଚ୍ଚା : ଦଳୀୟ କର୍ମୀ ଓ ନେତାଙ୍କ ଘରକୁ ଯାଇ କଲେ ଆଲୋଚନା

778

କନକ ବ୍ୟୁରୋ : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଗତକାଲି ରାତି ଗସ୍ତ ସମୟରେ କୁଠାରସିଂ, ନାରାୟଣପୁର ଓ ରାମଚନ୍ଦ୍ରପୁର ଅଞ୍ଚଳ ବୁଲିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳୀୟ କର୍ମୀ ଓ ନେତାଙ୍କ ଘରକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଏପରିକି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସର୍ବସାଧାରଣରେ ପ୍ରସାଦ ସେବନ କରିଥିବା ମଧ୍ୟ ଦେଖିବାକୁ ମିଳିିଥିଲା ।

୨୦୧୯ ମସିହା ନିର୍ବାଚନ ପରଠାରୁ ନିଜ ସାଂସଦୀୟ ଅଞ୍ଚଳରେ ଦେଖାଯାଉନଥିଲେ ପୂର୍ବତନ ସାଂସଦ । କିନ୍ତୁ ଏବେ କିଛି ଦିନ ହେବ ଗୋପାଳପୁର ନିର୍ବାଚନ ଅଞ୍ଚଳକୁ ଘନ ଘନ ଗସ୍ତ କରୁଥିବା ନଜରକୁ ଆସୁଛି । ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ବିଜୁ ଜନତା ଦଳ ପକ୍ଷରୁ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟୀତ୍ୱ ତୁଲାଇ ଆସୁଛନ୍ତି । କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ କିଛି ଦିନ ହେବ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଗୋପାଳପୁର ବିଧାନସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳୁଛି ।