କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ । ଆଜି ଶେଷ ଦିନରେ କେଲୋ ଡ୍ୟାମ୍ ବୁଲି ଦେଖିଲେ ଟ୍ରିବ୍ୟୁନାଲ ଟିମ୍ । ଏହା ପରେ ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ । ଗସ୍ତର ତୃତୀୟ ଦିନରେ ଗତକାଲି ଟିମ୍ ମିରୋନି, ସାରାଡିହ କଲମା ବ୍ୟାରେଜ୍ ସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ମହାନଦୀ ପାଣି ଛାଡିବା ନେଇ ଓଡ଼ିଶା ଏବଂ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣି ଛଡ଼ାଯାଉ ନଥିବା ନେଇ ଓଡ଼ିଶା ବାରମ୍ବାର ଅଭିଯୋଗ କରିଥିବା ବେଳେ ଛତିଶଗଡ଼ ଏହି ଅଭିଯୋଗ ଠିକ୍ ନୁହେଁ କହି ଖଣ୍ଡନ କରିଥିଲା । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି । ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ତଳମୁଣ୍ଡକୁ ଅଳ୍ପ ପାଣି ଛାଡିଥିଲେ ଛତିଶଗଡ଼ ସରକାର । ହେଲେ କ୍ଷେତ୍ର ପରିଦର୍ଶନ ବେଳେ ଛତିଶଗଡ଼ ଚାଲାକି କରି ଅଧିକ ଗେଟ୍ ଖୋଲି ଦେଇଛି । ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଶେଷ ପରେ ଓଡ଼ିଶାରେ ମହାନଦୀ ଅବବାହିକା ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍ ।
ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚିବ । ୧୧ ତାରିଖରେ ଟ୍ରିବ୍ୟୁନାଲ ମହାନଦୀର ତ୍ରିକୋଣଭୂମି, ଏହାର ବ୍ୟାରେଜ ପରିସର ଏବଂ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବ । ପ୍ରଥମେ ମୁଣ୍ଡୁଳି ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବେ । ଏହା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ । ଏହା ସହ ଟିମ୍ ନରାଜ ବ୍ୟାରେଜ୍, ମହାନଦୀ ବ୍ୟାରେଜ୍, ବିରୁପା ବ୍ୟାରେଜ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଯୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିବେ । ୧୨ ତାରିଖରେ ସାତକୋଶିଆ ଗସ୍ତ ଅଭୟାରଣ୍ୟ ପରିଦର୍ଶନ କରିବେ । ୧୩ ତାରିଖରେ ଚିଲିକା, ୧୪ରେ ମହାନଦୀ ଡେଲଟା ରିଭର ସିଷ୍ଟମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମେ’ ୧୮ ତାରିଖରୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ ଗସ୍ତ ଆରମ୍ଭ ହେବ ।