ଯେବେ ପାକିସ୍ତାନୀ ସାମ୍ବାଦିକାଙ୍କୁ ବାଜପେୟୀ କହିଥିଲେ, ମତେ ଯୌତୁକରେ ପୂରା ପାକିସ୍ତାନ ଦରକାର

405

କନକ ବ୍ୟୁରୋ: ଶାନ୍ତ, ସରଳ, ଆଉ ନମ୍ର ବ୍ୟବହାର କିଛି ଏମିତି ଥିଲା ତାଙ୍କ ବ୍ୟକ୍ତିତ୍ୱ । ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛି ଏପରି ଏକ ନାମ ଯିଏ ନିଜେ ବ୍ୟକ୍ତିତ୍ୱ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଥିଲେ ।  ତାଙ୍କୁ ଯେତେ ବଡ କଟ୍ଟୁ କଥା କହିଲେ ସେ ଜମା ବି ରାଗି ନଥାନ୍ତି । ଏହାର ଅର୍ଥ ନୁହେଁ ଯେ ଚୁପ ରହିଯାଆନ୍ତି, ଏମିତି ଉତ୍ତର ଦେଇଥାନ୍ତି ଯେ ସାମ୍ନା ଲୋକର ପାଟି ବନ୍ଦ କରିଦେଇଥାନ୍ତି । ଆଜି ଆମେ ତାଙ୍କ ବ୍ୟକ୍ତିତ୍ୱର ସେମିତି ଏକ ଘଟଣା କହିବୁ ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥିଲେ ।

୧୬ ମାର୍ଚ୍ଚ ୧୯୯୯, ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତି ଅଟଳବିହାରୀ ବାଜପେୟୀ । ଭାରତ-ପାକିସ୍ତାନର ସମ୍ପର୍କ ସୁଧାରିବା ପାଇଁ ସେ ଦୁଇ ଦେଶ ମଧ୍ୟରେ ବସ ସେବା ଆରମ୍ଭ କରିଥିଲେ । ଆଉ ଅଟଳ ଜୀ ନିଜେ ବସରେ ବସି ଅମୃତସରରୁ ଲାହୋର ଯାଇଥିଲେ । ଆଉ ସେଠାରେ ଗଭର୍ନର ହାଉସରେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ତାଳି ନମାରି ରହିପାରିନଥିଲେ ।

ଭାଷଣ ପରେ ଏକ ରୋଚକ ଘଟଣା ଘଟିଥିଲା । ପାକିସ୍ତାନର ଜଣେ ମହିଳା ସାମ୍ବାଦିକା ବାଜପେୟୀଙ୍କୁ କହିଥିଲେ ଆପଣ ଅବିବାହିତ ଅଛନ୍ତି ମୁଁ ଆପଣଙ୍କ ବିବାହ କରିବାକୁ ଚାହୁଁଛି, ହେଲେ ମତେ ମୁହଁ ଦେଖାରେ କାଶ୍ମିର ଦରକାର । ଆଉ କେହି ହେଇଥିଲେ ଏ ପ୍ରଶ୍ନକୁ ଏଡେଇ ଯାଇଥାନ୍ତେ ହେଲେ ସେ ଥିଲେ ବାଜପେୟୀ, ଏହାର ଜବାବ ରଖିଥିଲେ । ଆଉ କହିଥିଲେ ମୁଁ ବିବାହ କରିବାକୁ ରାଜି ଅଛି ହେଲେ ମତେ ଯୌତୁକରେ ପୂରା ପାକିସ୍ତାନ ଦରକାର । କଣ ଦେଇ ପାରିବେ ଆପଣ? ଏଭଳି ଉତ୍ତର ଶୁଣି ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା ।

ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ, ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ  ପାଦ ଥାପିଥିଲେ । ସେ କେବେବି ନିଜ ବିଚାରଧାରା ସହ  ସାଲିସ କରିନଥିଲେ । ସେ  ହେଉଛନ୍ତି ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ।  ଆଜି ହେଉଛି ସେହି ମହାନ ରାଜନେତାଙ୍କ ଜନ୍ମ ଜୟନ୍ତି ।

ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ ।  ଆଜି ତାଙ୍କ ୯୭ ତମ ଜନ୍ମଜୟନ୍ତୀ । ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ । କିନ୍ତୁ ତାଙ୍କର ପ୍ରକୃତ  ଘର ଥିଲା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ବଟେଶ୍ୱରରେ । ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ । ରାଜଧାନୀ ଲଖନୋରୁ ସେ ଏମପି ଭାବେ ନିର୍ବାଚିତ ହୋଇଥିଲେ ।

ରାଜନୀତିରେ ତାଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ ବିରଳ । ରାଜନୀତିରେ ସଂଖ୍ୟା  ବା ଯୋଡତୋଡରେ ବିଶ୍ୱାସ କରୁନଥିଲେ ଜନନାୟକ ଅଟଳବିହାରୀ ବାଜପେୟୀ । ଫଳରେ ମାତ୍ର ଗୋଟିଏ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ମାତ୍ର ୧୩ ଦିନର ଶାସନ ଭାଂଗିଯାଇଥିଲା । ଆଉ ଶେଷରେ ତାଙ୍କୁ ବିରୋଧୀ ଦଳ ନେତାର ଦାୟିତ୍ୱ ନିଭାଇବାକୁ ପଡିଥିଲା । ପରେ ହୋଇଥିବା ନିର୍ବାଚନରେ ସେ ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ଭାରତରେ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଥିଲେ । ୧୬ ଅଗଷ୍ଟ ୨୦୧୮ ମସିହାରେ ସେ ମୃତ୍ୟୁ ବରଣ କରିଥିଲେ । ଆଜି ସେହି ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି କନକ ପରିବାର ।