୨୪ ଘଂଟାରେ ଦେଶରେ ୧୫ ପ୍ରତିଶତ କରୋନା ମାମଲା ବୃଦ୍ଧି: ଆଗାମୀ ୩-୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ କହିଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ

146

କନକ ବ୍ୟୁରୋ: ପୁଣିଥରେ ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ, ତେବେ ତୃତୀୟ ଲହର ଶେଷ ହେବା ପରେ ତଳମୁହାଁ ହୋଇଥିବା ସଂକ୍ରମଣ ହଠାତ୍ ଉପର ମୁହାଁ ହେବା ଚିନ୍ତାର କାରଣ ପାଲଟିଛି ।

ଦେଶର କରୋନା ମିଟର

ତାରିଖ ସଂକ୍ରମଣ

ଏପ୍ରିଲ ୨୧         ୨,୩୮୦

ଏପ୍ରିଲ ୨୦        ୨,୦୬୭

ଏପ୍ରିଲ ୧୯        ୧,୨୪୭

ଏପ୍ରିଲ ୧୮        ୨୧୮୩

ଏପ୍ରିଲ ୧୭       ୧୧୫୦

ଏପ୍ରିଲ ୨୦ ତାରିଖରେ ୨ ହଜାର ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ତାରିଖରେ ଏହା ୧୫ ପ୍ରତିଶତ ବୃଦ୍ଧି ପାଇଁ ୨ ହଜାର ୩୮୦ରେ ପହଁଚିଛି । ଗତ ୫ ଦିନରେ ୩ ଥର ୨ ହଜାର ଉପରେ ନୂଆ ମାମଲା ଆସିଛି । ଏପ୍ରିଲ ୧୭ ତାରିଖରେ ଦେଶରେ ୧୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଦିନ ମଧ୍ୟରେ ଦୁଇ ଗୁଣ ହୋଇଯାଇଛି ଦୈନିକ ସଂକ୍ରମଣ । ସବୁଠୁ ଚିନ୍ତା ବଢ଼ାଇଛି ଆର-ଭାଲ୍ୟୁ । ନଜର ପକାନ୍ତୁ ୪ ସପ୍ତାହ ମଧ୍ୟରେ କିପରି ଆର୍-ଭାଲ୍ୟୁ ବୃଦ୍ଧି ପାଇଛି ।

ଦେଶର ଆର୍-ଭାଲ୍ୟୁ

ଏପ୍ରିଲ ୨୧         ୧.୧୬

୧ ସପ୍ତାହ ପୂର୍ବରୁ ୦.୯୬

୨ ସପ୍ତାହ ପୂର୍ବରୁ ୦.୮୫

୪ ସପ୍ତାହ ପୂର୍ବରୁ ୦.୭୭

୩ ମାସ ପରେ ପୁଣିଥରେ ଆର-ଭାଲ୍ୟୁ ୧ ଟପିଛି । ଏପ୍ରିଲ ୨୧ ତାରିଖରେ ଏହା ୧.୧୬ ରହିଛି । ଗୋଟିଏ ସପ୍ତାହ ପୂର୍ବରୁ ୦.୯୬ ଥିଲା, ୨ ସପ୍ତାହ ତଳେ ଏହା ଥିଲା ୦.୮୫ । ଏବଂ ୪ ସପ୍ତାହ ପୂର୍ବରୁ ୦.୭୭ ରହିଥିଲା ଆର୍ ଭାଲ୍ୟୁ । ଆର-ଭାଲ୍ୟୁରୁ ଜଣା ପଡ଼େ ଜଣେ ସଂକ୍ରମିତ କେତେ ଜଣଙ୍କୁ ସଂକ୍ରମିତ କରୁଛି ।

ଦିଲ୍ଲୀ, ହରିୟାଣା, ୟୁପି, କେରଳ ଓ କର୍ଣ୍ଣାଟକରେ କରୋନା ବଢ଼ିବାରେ ଲାଗିଛି । ଓଡ଼ିଶାରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିଲେ ବି ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିଥାଏ । ତେଣୁ ଆଗାମୀ ୩-୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଦେଶର କିଛି ରାଜ୍ୟରେ କରୋନା ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବୁଷ୍ଟର ଡୋଜ୍ ଓ ଟିକା ନେଇନଥିବା ବ୍ୟକ୍ତିଙ୍କୁ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି ।