ରାହୁଲଙ୍କ ପାଇଁ ପ୍ରତିବାଦ କରିବାକୁ ଆସିଥିଲେ ୧୫୦ କର୍ମୀ। ଖାଦ୍ୟଗ୍ରହଣ ପରେ ପ୍ରତିବାଦ ନକରି ଚାଲିଗଲେ କଂଗ୍ରେସ ନେତା। 

443

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ତୃତୀୟ ଦିନରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଥିଲେ । ତେବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଛି । ତେବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଚିନ୍ତା ବଢାଇଛି ।

ରାଜସ୍ଥାନ ଉଦୟପୁରରେ ନଗର କଂଗ୍ରେସ କମିଟି ପକ୍ଷରୁ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା । ରାଧିକା ନିକୁଞ୍ଜରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ୧୫୦ ଜଣ ପଦାଧିକାରୀ ଓ କର୍ମୀ ସାମିଲ ହୋଇଥିଲେ । ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିବାର ଥିଲା, ତେବେ ମାତ୍ର ୪୦ ଜଣ ସେଠାର ପହଞ୍ଚିଥିଲେ । ଏଭଳି ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି । ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପ୍ରତିବାଦ କରିବାର କାର୍ଯ୍ୟକ୍ରମ ଥିଲେ ବି ଭୋଜନଗ୍ରହଣ ପରେ ସେଠାରୁ ସମସ୍ତେ ଚାଲିଯାଇଥିଲେ ।

କେବଳ ଏତିକି ନୁହେ. ଦ୍ୱିତୀୟ ଦିନରେ କଂଗ୍ରେସ କମିଟି ପକ୍ଷରୁ ନବ ସଙ୍କଳ୍ପ ଘୋଷଣାପତ୍ର କ୍ରିୟାନ୍ୱୟନ ଉପରେ ଚର୍ଚ୍ଚା ପାଇଁ କର୍ମଶାଳା ଆୟୋଜିତ ହୋଇଥିଲା । ଅର୍ବିଟ ରିଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ କର୍ମକର୍ତ୍ତା ପହଞ୍ଚିଥିଲେ । ଏମାନେ ସମସ୍ତେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିଲେ, ତେବେ ଖାଦ୍ୟଗ୍ରହଣ ପରେ ସେମାନେ ସେଠାରୁ ଚାଲିଯାଇଥିଲେ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଉଦୟପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିରୋଧ ପ୍ରଦର୍ଶନ କରିବା ବଦଳରେ ଖାଦ୍ୟଗ୍ରହଣ କରି ସେଠାରୁ ଚାଲିଯାଇଥିଲେ । ୩୫୦ରୁ ମାତ୍ର  ଶହେ ଜଣେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ସାରାଦେଶରେ କଂଗ୍ରେସର କର୍ମକର୍ତ୍ତା ରାହୁଲଙ୍କ ସମର୍ଥନରେ ବାହାରି ପ୍ରତିବାଦ କରୁଥିବା ବେଳେ ଏଠାରେ ଦଳୀୟ କର୍ମୀଙ୍କ ଏଭଳି ଆଚରଣ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।