ଆପଣ ମୋ ଭଗବାନ… ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡିଗଲେ ରାହୁଲର ମାଆ। ଡାକ୍ତରଙ୍କୁ ବି କଲେ ପ୍ରଣାମ।

317

କନକ ବ୍ୟୁରୋ : ଆପଣ ମୋର ପ୍ରଭୁ… ଏ ସମସ୍ତେ ଭଗବାନ, ସମସ୍ତଙ୍କ ସହଯୋଗ ଯୋଗୁ ମୋ ପୁଅ ବଞ୍ଚିପାରିଛି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପାଦତଳେପଡି କୋହଭରା କଣ୍ଠରେ ରାହୁଲର ମାଆ ଏଭଳି କହିଚାଲିଥିଲେ । ତାଙ୍କ ପୁଅର ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଉଥିଲେ । ମଙ୍ଗଳବାର ମଧ୍ୟରାତ୍ରୀରେ ବେରୱେଲରୁ ଉଦ୍ଧାର ହୋଇଥିବା ରାହୁଲ ବିଲାସପୁର ଆପୋଲୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦିଲ୍ଲୀରୁ ସିଧାସଳଖ ବିଲାସପୁର ପହଞ୍ଚିବା ପରେ ଡାକ୍ତରଖାନା ଯାଇ ସେଠାରେ ରାହୁଲର ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ତେବେ ରାହୁଲଙ୍କୁ ଭେଟିବା ସମୟରେ ରାହଲଙ୍କ ମାଆ ଛତିଶଗଡ ପ୍ରଶାସନ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ପ୍ରଣାମ ଜଣାଇଚାଲିଥିଲେ । ନିଜ ପୁଅକୁ ମରଣମୁହଁରୁ ଫେରିପାଇଥିବା ରାହୁଲଙ୍କ ମାଆ ଯେମିତି ସବୁକିଛି ଫେରିପାଇଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ରାହୁଲର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ଛତିଶଗଡ ସରକାର ଆଗାମୀ ଦିନରେ ତାଙ୍କର ସ୍ୱାସ୍ଥ୍ୟ ଖର୍ଚ୍ଚଠାରୁ ନେଇ ଆଗାମୀ ପାଠପଢା ଖର୍ଚ୍ଚବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ମେଡିକାଲରେ ଥିବା ଅନ୍ୟ ପରିବାର ସଦସ୍ୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିଥିଲେ ।