ରାଜନୈତିକ ହିଂସା ଭିତରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବୁଥ ଜବରଦଖଲ କଲେ ଦୁବୃର୍ତ୍ତ, ମତଦାନ କେନ୍ଦ୍ରରେ ଫୁଟିଲା ବୋମା ।

313

କନକ ବ୍ୟୁରୋ : ରାଜନୈତିକ ହିଂସା ଭିତରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟ ବେଳେ ବିହାର, ୟୁପି ଷ୍ଟାଇଲରେ ହେଉଥିବା ହିଂସାକାଣ୍ଡ ଓଡିଶା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତରେ ଭୋଟ ଗ୍ରହଣ ବେଳେ ଉଗ୍ର ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ ସହ ଠେଙ୍ଗା ବାଡିରେ ପରସ୍ପରକୁ ଆକ୍ରମଣ କରିଛନ୍ତି ରାଜନୈତିକ କର୍ମୀ । ସେପଟେ କଣାସ ବ୍ଲକ ବଢ଼ାଳ ପଞ୍ଚାୟତରେ ବୁଥ କ୍ୟାପଚରିଙ୍ଗ ହେଉଥିବା ଶୁଣି, ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଏହାକୁ ନେଇ ପରସ୍ପରକୁ ଦୋଷ ଦେଇଛନ୍ତି ବିଜେପି ଓ ବିଜେଡି ।

ବିହାର, ଉତ୍ତରପ୍ରଦେଶ ଭଳି ଓଡିଶାରେ ପ୍ରଥମ ଥର ପାଇଁ ନିର୍ବାଚନ ଚାଲିଥିବାବେଳେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦର ଅଲଣ୍ଡା ପଞ୍ଚାୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବାବେଳେ, କଣାସରେ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଦୃବୃର୍ତ୍ତ ।

କୃଷ୍ଣପ୍ରସାଦରେ ରାଜନୈତିକ ହିଂସା । ଅଲଣ୍ଡା ପଞ୍ଚାୟତରେ ଗୋଷ୍ଠି ସଂଘର୍ଷ । ଫୁଟିଲା ବୋମା, ବୁଲିଲା ଠେଙ୍ଗାବାଡି । ରାଜ୍ୟର ଅନ୍ୟ ବୁଥ ମାନଙ୍କ ଭଳି କୃଷ୍ଣପ୍ରସାଦର ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥରେ ବି ଚାଲିଥିଲା ଭୋଟଗ୍ରହଣ । ଏହି ସମୟରେ ହଠାତ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ବୋମା ଫୁଟାଇବା ସହ ଠେଙ୍ଗା ଓ ଢ଼େଲାପଥର ମାଡ କରିଥିଲେ । ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଆଇଆଇସିଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ ବୁଥ ନମ୍ବର ୪ର ଭୋଟ ବାକ୍ସ କେହି ଦୃବୃର୍ତ ନେଇଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର ।

କଣାସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । କ୍ୟାମେରା ଭାଙ୍ଗିଲେ, ମୋବାଇଲ ଛଡାଇନେଲେ । ଦିନ ପ୍ରାୟ ୧୧ଟା । ପୁରୀ ଜିଲ୍ଲା କଣାସ ବ୍ଲକ ବଢ଼ାଳ ପଞ୍ଚାୟତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଚାଲିଥିବାବେଳେ ଫଲ୍ସ ପୁଲିଂ, ହେଉଥିବା ସୂଚନା ପାଇଁ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ବୁଥ କ୍ୟାପଚର କରି ଭୋଟ ଦେଉଥିବା କିଛି ଗୁଣ୍ଡା ଶ୍ରେଣୀୟ କର୍ମୀ ଉତ୍ତେଜିତ ହୋଇପଡିଥିଲେ । ଆଉ ନ୍ୟୁଜ୍ ୧୮ର ପ୍ରତିନିଧି ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁ ଏବଂ ନ୍ୟଜ୍ ୭ର ପ୍ରତିନିଧି ସରୋଜ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣକାରୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରିବା ସହ କ୍ୟାମେରା ଓ ଉଭୟଙ୍କ ମୋବାଇଲ ଛଡାଇ ନେଇଥିଲେ । ଲାଇଭ ଭିଜୁଆଲ ପ୍ରସାରଣ ସରଞ୍ଜାମକୁ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏବଂ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ନିର୍ବାଚନ ଆରମ୍ଭରୁ ରାଜନୈତିକ ହିଂସାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରିଛନ୍ତି । ଏହା ଚିନ୍ତାଜନକ ଓ ଦୁଃଖଦାୟକ କହିବା ସହ ରାଜ୍ୟ ନିର୍ବାଚନ କମିଶନ, ନିର୍ବାଚନୀ ହିଂସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।