ଶବରସାହି ପ୍ରାଥମିକ ସ୍କୁଲର ଘଟଣା : ଭୂତ ଭୟରେ ୪ବର୍ଷ ହେଲା ପଡିଛି ତାଲା

134

କନକ ବ୍ୟୁରୋ : ଭୂତ ଭୟରେ ଦୀର୍ଘ ୪ ବର୍ଷ ହେଲା ସ୍କୁଲରେ ଝୁଲୁଛି ତାଲା । ଆଉ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ସ୍କୁଲ ଘର । ସ୍କୁଲ ଘରେ ପାଠପଢ଼ା ବନ୍ଦ ରହିଥିବାରୁ ସ୍କୁଲଘର କୋଠା ଏବେ ନିଶାଡ଼ିଙ୍କ କବଜାରେ ରହିଛି । ସଂଧ୍ୟା ହେଲେ ଅସାମାଜିକ ଯୁବକ ମାନେ ଆଡ଼ା ଜମାଉଛନ୍ତି । ଏହା କୌଣସି ଉପାନ୍ତ ଅଞ୍ଚଳ ଘଟଣା ନୁହେଁ ଖୋଦ ରାଜଧାନୀ ଭୁବନଶ୍ୱେରର ୪୩ ନମ୍ବର ୱାର୍ଡ଼ରେ ଥିବା ବଡ଼ଗଡ଼ ସ୍ଥିତ ଶବର ସାହି ପ୍ରାଥମିକ ବିଦ୍ୟାଳୟର ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ୪ବର୍ଷ ତଳେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ପିଲାର ବିଦ୍ୟାଳୟ ପରିସରରେ ଥିବା ପଣସ ଗଛରୁ ପଡ଼ି ମୃତ୍ୟୁ ହୋଇଥିଲା । ପିଲାଟିକୁ ଭୁତ ପେଲିଦେବାରୁ ତାର ମୃତ୍ୟୁ ହୋଇଥିବା ଖବର ଚାରିଆଡ଼େ ପ୍ରସାରିତ ହୋଇଥିଲା । ସେହିଦିନ ଠାରୁ ସ୍ଥାନୀୟ ଅଞ୍ଚଳରେ ସ୍କୁଲରେ ଭୁତ ଥିବା ଗୁଜବ ସୃଷ୍ଟି ହୋଇଥିଲା । ଏହାକୁ ଖଣ୍ଡନ କରିବା ପାଇଁ ସ୍କୁଲ ପରିସରରେ କ୍ୟାମେରା ମଧ୍ୟ ଲାଗିଥିଲା ।

ତେବେ ସ୍କୁଲ କର୍ତ୍ତୃପକ୍ଷ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଲୋକମାନେ ବୁଝିନଥିଲେ । ସେବେଠାରୁ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲକୁ ଛାଡ଼ି ନଥିଲେ । ଯେଉଁଠି ଦିନେ ଶହ ଶହ ପିଲା ପାଠ ପଢ଼ୁଥିଲେ ସେଠି ହାତଗଣତି ୧୦ରୁ ୧୨ ଜଣ ପିଲା ପାଠ ପଢ଼ିଲେ । ଫଳରେ ପିଲାମାନଙ୍କୁ ନିକଟସ୍ଥ ଏକ ସ୍କୁଲକୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ୁଥିବା ପିଲାଙ୍କୁ ସ୍ଥାନାନ୍ତର କରିଦିଆଗଲା । ସ୍କୁଲ ବନ୍ଦ ରହିବାରୁ ଏବେ ସ୍କୁଲ ପରିସର ଭାଙ୍ଗିରୁଜି ଭୁତକୋଠିରେ ପରିଣତ ହେଲାଣି ।