ରେଢ଼ାଖୋଲରେ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରା । ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ସମ୍ବଲପୁରରେ ପ୍ରଣବଙ୍କ ମାରାଥନ ପ୍ରଚାର ।

139

କନକ ବ୍ୟୁରୋ: ରେଢାଖୋଲରେ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରା । ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ରେଢାଖୋଲ ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମଧ୍ୟ ଏହି ରାଲିରେ ଯୋଗଦେଇଥିଲେ । ରେଢାଖୋଲ କଲେଜ ଛକରୁ ଏହି ସଂକଳ୍ପ ଯାତ୍ରା ବାହାରିଥିଲା । ରାମ ମନ୍ଦିର, ଭୀମଭୋଇ ଛକ, ପୋଷ୍ଟ ଅଫିସ୍, ମେଡିକାଲ, ଭୀମଭୋଇ ଛକ ଦେଇ ପୁରୁଣା ଏଲଆଇସି ଅଫିସ୍ ନିକଟରେ ପହଞ୍ଚିିଥିଲା । ସେଠାରେ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା ।

ଅନ୍ୟପଟେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କରୁଛନ୍ତି ମାରାଥନ ପ୍ରଚାର । ଆଜି ସକାଳେ ପାନ୍ଥ ନିବାସରେ ସମଲେଇ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଭୋଟ୍ ମାଗିଛନ୍ତି । ସେହିପରି ବିଜେଡି କାର୍ଯ୍ୟାଳୟରେ କର୍ମୀଙ୍କ ସହ ଆଲୋଚନା କରିଥିବା ବେଳେ ସିନ୍ଦୁରପଙ୍କଠାରେ ଖ୍ରୀଷ୍ଟିଆନ୍ ସମାଜ ସହ ମଧ୍ୟ କଥା ହୋଇଛନ୍ତି । ସେହିପରି ହାଇକୋର୍ଟ ବେଂଚ ପ୍ରସଙ୍ଗରେ ମଧ୍ୟ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯାହା ଆସିବ ତାହା ପାଳନ କରାଯିବ । ମୁଖ୍ୟମନ୍ତ୍ରୀ କମ୍ କଥା କୁହନ୍ତି କାମ ବେଶୀ କରନ୍ତି ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି ।