ଦିଲ୍ଲୀ ସମେତ ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି : ୨.୬ ଡିଗ୍ରୀରେ ରହିଲା ପାରଦ, ଟ୍ରେନ ଯାତ୍ରା ପ୍ରଭାବିତ

370

କନକ ବ୍ୟୁରୋ : ଥରୁଛି ଭାରତ । ଜାଡରେ ହାଲ ବେହାଲ । ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତରଭାରତରେ ପ୍ରବଳ ଶୀତ ଲହରି । ଗତ କିଛି ଦିନ ହେବ ଲଗାତର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଦିଲ୍ଲୀ-ଏନସିଆରରେ ଭିଜିବିଲିଟି ଶୂନ ରହିଛି । ଯାହାଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଦିଲ୍ଲୀରେ ୨.୬ ଡିଗ୍ରୀରେ ପାରଦ ରହିଥିବାବେଳେ ପାଲମରେ ପାରା ରହିଛି ୨.୯ ଡିଗ୍ରୀ । ଦିଲ୍ଲୀ ବ୍ୟତିତ ଅମୃତସର ,ଆଗ୍ରା ଓ ଝାନ୍ସିରେ ପାରା ୩ଡିଗ୍ରୀ ତଳେ ରହିଛି । ପ୍ରବଳ କୁହୁଡି ଯୋଗୁଁ ଯାତାୟାତରେ ବଡ ସମସ୍ୟା ସୃଷ୍ଟି ହୋଇଛି । ଦିଲ୍ଲୀ ନୋଏଡା ଡିଏନଡି ପ୍ଲାଏଓଭରରେ ଟ୍ରାଫିକ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଥିଲା । ସକାଳୁ ପ୍ରବଳ କୁହୁଡି ପଡୁଥିବାରୁ ପାଗ ଧୂଆଁଳିଆ ରହୁଛି । ଫଳରେ ଦୂରଦୂରକୁ ରାସ୍ତାଘାଟ ଦେଖାଯାଉନାହିଁ । ଏଭଳିସ୍ଥିତିରେ ଆଜି ଏକ ଲମ୍ବା ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା ।

ସେପଟେ ଦିଲ୍ଲୀ ଏୟାରପୋର୍ଟରେ କିଛି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ ଟ୍ରେନ ସେବା ବି ପ୍ରଭାବିତ ହୋଇଛି । ଆଜି ଦିଲ୍ଲୀରେ ୩୦ରୁ ଅଧିକ ଟ୍ରେନ ବିଳମ୍ବରେ ଚାଲୁଛି । ଉତରଭାରତର କେତେକ ସହରରେ ଆଶ୍ରୟସ୍ଥଳରେ ରହୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଥଣ୍ଡାର ପରିମାଣ ଏତେ ରହୁଛି ଯେ ବାହାରେ ରହିବା ସେମାନଙ୍କ ପାଇଁ ମୁସକିଲ ହୋଇପଡୁଛି । ରେଳ ଷ୍ଟେସନ ବାହାରେ କମ୍ବଳ ଘୋଡାଇ ହୋଇ ଅନେକ ଲୋକ ରାତି କାଟୁଥିବା ଦେଖିବାକୁ ମିଳିଛି । ସେପଟେ ରାଜସ୍ଥାନରେ ସର୍ବନିମ୍ନ ୧.୪ ଡ୍ରିଗୀ ପାରଦ ରେକର୍ଡ କରାଯାଇଥିବାବେଳେ ଦୀର୍ଘ ୫୫ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଛି ଆଜିର ତାପମାତ୍ରା । ଜୟପୁରରେ ୧୯୬୪ ମସିହା ଡିସେମ୍ବର ୧୩ ତାରିଖରେ ସବୁଠୁ କମ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେପଟେ ଉତ୍ତରପ୍ରଦେଶରେ ବି ପ୍ରବଳ କୁହୁଡି ସହ ଥଣ୍ଡା ଅନୁଭୂତ ହେଉଛି । ସକାଳୁ ରାସ୍ତାଘାଟ ଦିଶୁନଥିବାବେଳେ ସବୁଆଡେ ଧୂଆଁଳିଆ ଦେଖାଯାଉଛି । ଗତ କିଛି ଦିନ ହେବ ଏଠାରେ ବି କ୍ରମାଗତ ଭାବେ ଥଣ୍ଡା ବଢିଚାଲିଛି । ଆକାଶ ଧୂଆଁଳିଆ ରହୁଥିବା ଯୋଗୁଁ ରାସ୍ତାଘାଟରେ ଯାନବାହାନ ଚଳାଚଳ କରିବା କଷ୍ଟକର ହୋଇଛି । ସେପଟେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ସେକି ହେଉଥିବାର ଦୃଶ୍ୟ ଦେଖିବାକୁ ମିିଳିଛି ।