ଏସଏଚଜି ମହିଳାଙ୍କ ଟଙ୍କା ହଡ଼ପ, ଯାଜପୁର ଧର୍ମଶାଳା ଏଣ୍ଡଳବାରୁ ଆସିଲା ଅଭିଯୋଗ। 

47

କନକ ବ୍ୟୁରୋ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର । ଯାଜପୁର ଜିଲ୍ଳା ଧର୍ମଶାଳା ଏଣ୍ଡଳବା ପଞ୍ଚାୟତରେ ସ୍ୱୟଂସହାୟକ ଗୋଷ୍ଠୀର କୋଟିଏରୁ ଅଧିକ ଟଙ୍କା ହଡପ ନେଇ ଥାନାରେ ମାମଲା ହୋଇଛି  । ୬୮ଟି ସ୍ୱୟଂସହାୟକ ଗୋଷ୍ଠୀର ରୂଣ ଶୁଝିବା ଟଙ୍କା ଆତ୍ମସାତ କରି ଫେରାର ହୋଇଥିଲେ ଏମବିକେ । ଅଭିଯୋଗ ପରେ ଏମବିକେ ଇନ୍ଦୁମତୀ ପୃଷ୍ଟି ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ରୂଣ କିସ୍ତି ଟଙ୍କା ଏମ.ବି.କେ ଲୁଟିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଏଣ୍ଡଳବା ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କବାଟବନ୍ଧ ଗ୍ରାମ୍ୟ ବ୍ୟାଙ୍କରୁ ଏସଏଚଜିର ସଦସ୍ୟଭାବେ ରୂଣ ନେଇ କିସ୍ତି ପରିଶେଧ କରୁଥିଲେ । ଏହିପରି ଭାବେରେ ସମ୍ପୃକ୍ତ ପଂଚାୟତରେ ୬୮ଟି ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ମହିଳାମାନେ ବିଭିନ୍ନ ସମୟରେ ବ୍ୟାଙ୍କରୁ ରୂଣ ନେଇ ବ୍ୟବସାୟ କରିବା ସହ କିସ୍ତିଟଙ୍କା ଶୁଝୁ ଥିଲେ । ଏଣ୍ଡଳବା ପଞ୍ଚାୟତରୁ କବାଟବନ୍ଧ ଗ୍ରାମ୍ୟ ବ୍ୟାଙ୍କର ଦୂରତା ବହୁତ ଥିବାରୁ ସ୍ଥାନୀୟ ମହିଳାମାନେ ଏମବିକେ (ବ୍ୟାଙ୍କ କରେସପଣ୍ଡେନସ ଏଜେଂଟ)ଙ୍କ ଜରିଆରେ ରୂଣ କିସ୍ତି ଆଦାୟ ପାଇଁ ଦାୟିତ୍ୱ ଦିଆଯାଇଥିଲା ।

ଋଣ ଶୁଝିବା ପାଇଁ ମହିଳାମାନେ ବ୍ୟାଙ୍କର ଏମ.ବ.ିକେଙ୍କୁ କିସ୍ତି ଟଙ୍କା ଦେଇ ଆସୁଥିଲେ । ମାତ୍ର ଏବେ ହଠାତ କେହିଜଣେ ନିଜର ଋଣ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଋଣ ଖିଲାପୀ ଥିବା ଜାଣିବାକୁ ପାଇବା ପରେ ଘଟଣା ପଦାକୁ ଆସିଥିଲା । ଏମବିକେ ଥିବା ଇନ୍ଦୁମତୀ ପୃଷ୍ଟି ଏତେ ପରିମାଣର ଘୋଟାଲା କରିଥିବା ଜଣାପଡିବା ପରେ ପଞ୍ଚାୟତସ୍ତରରେ ମହିଳାମାନଙ୍କର ବୈଠକ ବସି ଏହାର ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକପ୍ରତିନିଧି ଉଦ୍ୟମ କରି ବିଫଳ ହେବା ପରେ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଫଳରେ ଏନେଇ ଗତକାଲି ସନ୍ଧ୍ୟାରେ ଜେନାପୁର ଥାନାରେ ଇନ୍ଦୁମତୀ ପୃଷ୍ଟିଙ୍କ ନାମରେ ଏତଲା ଦିଆଯାଇଥିଲା ।