କେନ୍ଦୁଝର ହାଟଡ଼ିହି ବ୍ଲକ ସମଣା ପଞ୍ଚାୟତରେ ଅବ୍ୟବସ୍ଥା। ୫ ମାସ ହେଲା ୪୧ ଜଣ ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା।

51

କନକ ବ୍ୟୁରୋ :୫ ମାସ ହେଲା ମିଳୁନି ଭତ୍ତା, ଆଉ ଭତ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିବ୍ୟାଙ୍ଗ । କିଏ ଘୁଷୁରି ଘୁଷୁରି ଆସୁଛି ତ ପୁଣି କିଏ ଟ୍ରାଇ ସାଇକେଲ । ଆଉ ପୁଣି କିଏ ବାଡ଼ିର ସାହାରା ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଛି । କେନ୍ଦୁଝର ହାଟଡିହି ବ୍ଲକ ସମଣା ପଞ୍ଚାୟତର ୫୨ ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ଆଉ ଏମାନଙ୍କ ମଧ୍ୟରେ ୪୧ ଜଣ ଦିବ୍ୟାଙ୍ଗ ଥିବା ଜଣାପଡ଼ିଛି । ଏନେଇ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ ବି କେହି ଏମାନଙ୍କ କଥା କର୍ଣ୍ଣପାତ କରୁନାହାନ୍ତି । ଫଳରେ ଏମାନଙ୍କ ପାଖରେ ଔଷଧ କିଣିବାକୁ ପଇସା ନାହିଁ କି ଖାଇବାକୁ ମଧ୍ୟ ପଇସା ନାହିାଁ

ପୂର୍ବରୁ ପଞ୍ଚାୟତ ଜରିଆରେ ଏମାନଙ୍କୁ ମାସକୁ ମାସ ଠିକ୍ ସମୟରେ ଭତ୍ତା ମିଳୁଥିଲା । ହେଲେ ଅନଲାଇନ୍ ମାଧ୍ୟମରେ ଭତ୍ତା ଦେବାର ବ୍ୟବସ୍ଥା ହେବା ଠାରୁ ୫୨ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଖାଲି ସମଣା ପଞ୍ଚାୟତ ନୁହେଁ ହାଟଡ଼ିହି ବ୍ଲକର ୫୦୦ରୁ ଉଦ୍ଧ୍ୱର୍ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବ୍ଲକର କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅନଲାଇନ୍ ବ୍ୟବସ୍ଥା ଯୋଗୁଁ ୧୫ରୁ ୨୦ କିଲୋମିଟର ଦୂର ବ୍ୟାଙ୍କକୁ ଯାଇ ଟଙ୍କା ଉଠାଉଛନ୍ତି ହିତାଧିକାରୀ । ୫ଶହ ଟଙ୍କାର ଭତ୍ତା ପାଇଁ ଲୋକଙ୍କୁ ୧୦୦ରୁ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ନିରାଶ୍ରୟ, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାରର ସାମାଜିକ ସୁରକ୍ଷା ବ୍ୟବସ୍ଥା ଲାଗୁ କରିଛନ୍ତି ହେଲେ ବ୍ଲକର କିଛି କର୍ମଚାରୀଙ୍କ ପାଇଁ ଏପରି ଅବ୍ୟବସ୍ଥା ଦେଖାଦେଇଛି ।