ଦାନ୍ତେୱାଡା ନକ୍ସଲ ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ । ଘଟଣାର ୨ ମାସ ଆଗରୁ ନକ୍ସଲ ପୋତିଥିଲେ ବିସ୍ଫୋରକ ।

101

କନକ ବ୍ୟୁରୋ: ଗତ ୨୬ ତାରିଖ ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଭଳି ଭାବେ ଆଇଇଡି ଲଗାଇ ଛତିଶଗଡ ଡିଆରଜିର ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ ନକ୍ସଲ, ତାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଘଟଣାର ୩ ଦିନ ପରେ ଆସିଛି ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ । ବସ୍ତର ଆଇଜିଙ୍କ ସୂଚନା ଅନୁଯାୟୀ ନକ୍ସଲମାନେ ୨ ମାସ ପୂର୍ବରୁ ଏହି ଆକ୍ରମଣର ଷଡଯନ୍ତ୍ର କରିଥିଲେ ।

  • ୨ ମାସ ଆଗରୁ ନକ୍ସା ପ୍ରସ୍ତୁତ କରିଥିଲେ ନକ୍ସଲ !
  • ଘଟଣାର ୨ ମାସ ଆଗରୁ ନକ୍ସଲ ପୋତିଥିଲେ ବିସ୍ଫୋରକ

ଏତେ ବଡ଼ ମାଓ ହମଲା କେମିତି ଘଟିଲା, ତାକୁ ନେଇ ଛାନବିନ୍ ଚାଲିବା ବେଳେ ଏହି ଆଇଇଡି ବିସ୍ଫୋରଣକୁ ନେଇ ସାଂଘାତିକ୍ ତଥ୍ୟ ରଖିଛନ୍ତି ବସ୍ତର ଆଜି । ସୁନ୍ଦରରାଜ ପି. ଦେଇଥିବା ସୂଚନା ଅନୁସାରେ, ବିସ୍ଫୋରଣ ପାଇଁ ୨ ମାସ ତଳୁ ମାଟି ତଳେ ବିସ୍ଫୋରକ ରଖାଯାଇଥିଲା । ଏଥିରେ ୪୦ରୁ ୫୦ କେଜିର ବିସ୍ଫୋରକ ସାମଗ୍ରୀ ବ୍ୟବହାର ହୋଇଥିଲା । ସନ୍ଦିଗ୍ଧ ବିସ୍ଫୋରକକୁ ଅକାମୀ କରିବା ପାଇଁ ହୋଇଥିବା ତନଖି ବେଳେ ଏହା ଜଣାପଡ଼ିନଥିଲା । ଆଇଇଡି ଖଞ୍ଜିବା ପୂର୍ବରୁ ରାସ୍ତା ଖୋଳିବା ବଦଳରେ ସୁଡ଼ଙ୍ଗ ଖୋଳିଥିଲେ ନକ୍ସଲ । ବିସ୍ଫୋରକରୁ ଟ୍ରିଗରକୁ ସଂଯୋଗ କରିବା ପାଇଁ ୧୫୦ ମିଟର ଯାଏଁ ଘଞ୍ଚ ଜଙ୍ଗଲରେ ତାର ବିଛାଯାଇଥିଲା । ଦୀର୍ଘ ଦିନରୁ ତାର ବିଛାଯାଇଥିବାରୁ ମାଟି ଉପରେ ଘାସ ଉଠିଯାଇଥିଲା । ତେବେ ଏହି ଆକ୍ରମଣ ପରେ ୨ ଜଣଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ପ୍ରକିୟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ।

ବୁଧବାର ମାଓ ଅପରେସନ୍ ସାରି ଫେରିବାବେଳେ ଦାନ୍ତେୱାଡା ଆରନପୁରରେ ଯବାନଙ୍କ ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ ନକ୍ସଲ । ଏହି ବିସ୍ଫୋରଣରେ ୧୦ ଯବାନ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭର ମୃତ ହୋଇଥିଲେ । ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡଙ୍କୁ ନେଇ ଯାଉଥିବା ଗାଡି ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ଲାଲ୍୍ ବାହିନୀ ଦୁର୍ବଳ ହୋଇଯାଇଛି । ହେଲେ ଏହି ଆକ୍ରମଣ ଏହି ଧାରଣାକୁ ବଦଳାଇ ଦେଇଛି ।