ଜମୁଛି କର୍ଣ୍ଣାଟକ ନିର୍ବାଚନ ପ୍ରଚାର । ବେଙ୍ଗାଲୁରରେ ମୋଦୀଙ୍କ ମାରାଥନ ରାଲି, ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ

108

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ଣ୍ଣାଟକ ପ୍ରଚାର ମଇଦାନରେ ସେତିକି ଭିଡ ଦେଖିବାକୁ ମିଳୁଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର କ୍ୟାମ୍ପେନ କରିବା ସହ ପରଷ୍ପରକୁ ଟାର୍ଗେଟ କରିବାରେ ଅବହେଳା କରୁନାହାଁନ୍ତିି ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ । ଶନିବାର ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇ ମେଗା ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁର ସମେତ ତିନିଟି ସ୍ଥାନରେ ରୋଡ ସୋ’ କରି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବାଲାସାହେବ ଆମ୍ବେଦକର, ବୀର ସାବରକରଙ୍କ ଭଳି କଂଗ୍ରେସ ତାଙ୍କୁ ମଧ୍ୟ ଗାଳି କରୁଛି, ହେଲେ ସେ ଦେଶ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ମୋଦୀ । ମେ ୭ ତାରିଖ ମଧ୍ୟରେ ମୋଦୀ କର୍ଣ୍ଣାଟକରେ ୪ ଟି ମେଗା ରୋଡ ସୋ’ ସହ ୧୯ ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି ।

ନିର୍ବାଚନକୁ ଆଉ ୧୦ ଦିନ ବାକି ଥିବା ବେଳେ ଭୋଟରଙ୍କୁ ନିଜ ଦଳ ସପକ୍ଷରେ ଆଣିବାକୁ ରାଜନେତା ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି କଂଗ୍ରେସ ଓ ବିଜେପି । ପ୍ରତି ପଂଚାୟତକୁ ୧ କୋଟି ଟଙ୍କା, ୫୦ ହଜାର ସରକାରୀ ଚାକିରି, ପରିବାର ମହିଳା ମୁଖ୍ୟଙ୍କୁ ୨ ହଜାର ଲେଖାଏଁ ଟଙ୍କା, ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ପରିବାରର ମୁଣ୍ଡ ପିଛା ମାସିକ ୧୦ କିଲୋ ଚାଉଳ ଭଳି ଲୋଭନୀୟ ଅଫର ଦେଇଛି କଂଗ୍ରେସ । ଆଉ ବିଜେପି ଡବଲ ଇଞ୍ଜନ ସରକାରର ନାରା ଦେଇ ନିର୍ବାଚନୀ ଡଙ୍ଗା ପାରହେବାକୁ ବସିଛି । ତେବେ କଂଗ୍ରେସ ଦେଇଥିବା ଅଫର କେବେ ସମ୍ଭବ ନୁହେଁ ବୋଲି କହିଛନ୍ତି ମୋଦୀ । ଯେଉଁ ସରକାର ୪୦ ପ୍ରତିଶତ କମିଶନ ନେଉଥିବ ସେମାନେ ଏଭଳି ଅଫର ଦେଇପାରିବେ ବୋଲି ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ଯବାବରେ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଭଳି ଅଫର ଦେବା ବିଜେପି ପକ୍ଷେ ସମ୍ଭବ ନୁହେଁ । ଏପଟେ ସରକାର ଗଢିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଏଆଇଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆସନ୍ତା ମେ ୧୦ ତାରିଖରେ ହେବ ଏବଂ ମେ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ସରକାରକୁ ଫେରି ପୁଣି ଟ୍ରାକକୁ ଆସିବାକୁ କଂଗ୍ରେସ ନିଶ୍ଚିତ ଚେଷ୍ଟା କରିବ । ଆଉ ବିଜେପି କଂଗ୍ରେସର ଦଳୀୟ କନ୍ଦଳକୁ ଅସ୍ତ୍ର କରି ଶାସନ ବଜାୟ ରଖିପାରେ ବୋଲି କୁହାଯାଉଛି ।