ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍ । ଦେଖନ୍ତୁ, କେଉଁ ରାଜ୍ୟରେ କିଏ ଗଢିପାରେ ସରକାର? କଣ କହୁଛି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ରିପୋର୍ଟ…

434

କନକ ବ୍ୟୁରୋ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଉ ପଞ୍ଜାବରେ ଏଥର କିଏ ଗଢିବ ସରକାର? କେଉଁ ଦଳର ନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ? କେଉଁ ରାଜ୍ୟରେ ଚାଲିବ କାହାର ରାଜ୍? ଏସବୁ ପ୍ରଶ୍ନକୁ ନେଇ ଏବେ ବି ଚର୍ଚ୍ଚା ଆଲୋଚନା ଚାଲିଥିବାବେଳେ, ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆସିଛି ଏକଜିଟ୍ ପୋଲ୍ ।

ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ୟୁପିରେ ପୁଣି ବିଜେପି ସରକାର ଗଠନ ହେବା ନେଇ ଆକଳନ କରାଯାଇଥିବାବେଳେ, ପଞ୍ଜାବରେ ପ୍ରଥମ କରି ଆପ୍ ସରକାର ଗଠନ ହେବା ନେଇ ଆକଳନ କରାଯାଉଛି । ସେହିପରି ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ପୁଣି ସରକାର ଗଠନ କରିବାର ମ୍ୟାଜିକ୍ ନମ୍ବର ଛୁଇଁବ ବୋଲି ଅନେକ ସଂସ୍ଥା ଆକଳନ କରିଛନ୍ତି । ତେବେ ଦେଖନ୍ତୁ, କେଉଁ ରାଜ୍ୟର କଣ ରହିଛି ଏକଜିଟ୍ ପୋଲ୍ ରିପୋର୍ଟ…ଉତ୍ତରପ୍ରଦେଶ

୪୦୩ ବିଧାନସଭା ସିଟ୍ ବିଶିଷ୍ଟ ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଂଟକୁ ୨୦୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଆଉ ଏଥର ବିଜେପି ଉତ୍ତରପ୍ରଦେଶରେ ୨୮୮ରୁ ୩୨୬ ବିଧାୟକ ସିଟ୍ ଜିତିପାରେ ବୋଲି ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ଆକଳନ କରିଛି । ସେହିପରି ସମାଜବାଦୀ ପାର୍ଟିକୁ ୭୧ରୁ ୧୦୧ ଆସନ, ବିଏସପିକୁ ୩ରୁ ୯ ଆସନ, କଂଗ୍ରେସକୁ ୧ରୁ ୩ ଆସନ ଓ ଅନ୍ୟାନ୍ୟଙ୍କୁ ୨ରୁ ୩ ଆସନ ମିଳିପାରେ ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି ।

ସେହିପରି ଜନ୍ କି ବାତ୍ ଆକଳନ ଅନୁସାରେ, ଉତ୍ତରପ୍ରଦେଶରେ ବିଜେପି ୨୨୨ରୁ ୨୬୦ ଆସନ ଜିତିପାରେ, ସମାଜାବାଦୀ ପାର୍ଟିକୁ ୧୩୫ରୁ ୧୬୫ ଆସନ ମିଳିପାରେ । ଅନ୍ୟପଟେ ବିଏସପିକୁ ୪ରୁ ୯ ଆସନ, କଂଗ୍ରେସକୁ ୧ରୁ ୩ ଆସନ ମିଳିପାରେ ବୋଲି ଜନ୍ କି ବାତ୍ ଆକଳନ କରିଛି । ସେହିପରି ପି-ଏମଏଆରକ୍ୟୁର ଆକଳନ ଅନୁସାରେ, ଏଥର ଉତ୍ତରପ୍ରଦେଶରେ ବିଜେପିକୁ ୨୪୦ ଆସନ, ସମାଜବାଦୀ ପାର୍ଟିକୁ ୧୪୦ ଆସନ, ବିଏସପିକୁ ୧୭, କଂଗ୍ରେସକୁ ୪ଟି ଆସନ ମିଳିପାରେ ।ପଞ୍ଜାବ

ପଞ୍ଜାବରେ ଏଥର ସରକାର ଗଢିପାରେ ଆପ୍ । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ଏବେ ଏଭଳି କିଛି ଆକଳନ କରାଯାଇଛି । ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ଆକଳନ ଅନୁସାରେ, ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ୭୬ରୁ ୯୦ ଆସନ ମିଳିପାରେ । ସେହିପରି କଂଗ୍ରେସକୁ ୧୯ରୁ ୩୧ ଆସନ, ବିଜେପିକୁ ୧ରୁ ୪ ଆସନ, ଶିରୋମଣୀ ଅକାଳୀ ଦଳକୁ ୭ରୁ ୧୧ ଆସନ ମିଳିପାରେ ।

ସେହିପରି ଏବିପି ସି-ଭୋଟରର ଆକଳନ ଅନୁସାରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ୫୧ରୁ ୬୧ ଆସନ ମିଳିପାରେ, କଂଗ୍ରେସକୁ ୨୨ରୁ ୨୮ ଆସନ ମିଳିପାରେ । ଅନ୍ୟପଟେ ବିଜେପିକୁ ୭ରୁ ୧୩ଟି ଆସନ, ଶିରୋମଣୀ ଅକାଳୀ ଦଳକୁ ୨୦ରୁ ୨୬ ଆସନ ମିଳିପାରେ ବୋଲି ଏବିପି ସି- ଭୋଟର ଆକଳନ କରିଛି । ତା ସହିତ ଟୁଡେଜ୍ ଚାଣକ୍ୟ, ଜନ କି ବାତ୍ ଓ ବିଟୋ ଆକଳନ ଅନୁସାରେ, ଏଥର ପଞ୍ଜାବରେ ଆପ୍ ସରକାର ଗଠନ ହୋଇପାରେ ବୋଲି ଆକଳନ କରାଯାଉଛି ।ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡରେ ଏଥର କିଏ ଗଢିବ ସରକାର? ବିଧାନସଭା ନିର୍ବାଚନ ପରେ ଆସିଲା, ବୁଥ୍ ବାହୁଡା ମତ । ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ଆକଳନ ଅନୁସାରେ, ଏଥର ଉତ୍ତରାଖଣ୍ଡରେ ପୁଣି ସରକାର ଗଢିପାରେ ବିଜେପି । ସେଠାରେ ଦଳକୁ ୩୬ରୁ ୪୬ ଆସନ ମିଳିପାରେ ବୋଲି ଆକଳନ କରାଯାଉଥିବାବେଳେ, କଂଗ୍ରେସକୁ ୨୦ରୁ ୩୦ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି । ସେହିପରି ଏବିପି ସି-ଭୋଟର ଆକଳନ ଅନୁସାରେ ଉତ୍ତରାଖଣ୍ଡରେ ବିଜେପିକୁ ୨୬ରୁ ୩୨ ଆସନ ମିଳିପାରେ, କଂଗ୍ରେସକୁ ୩୨ରୁ ୩୮ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଜନ୍ କି ବାତ୍ ଆକଳନ ଅନୁସାରେ, ବିଜେପିକୁ ୩୨ରୁ ୪୧, କଂଗ୍ରେସକୁ ୨୭ରୁ ୩୫ ଆସନ ମିଳିପାରେ । ତା ସହିତ ବିଜେପିକୁ ୩୭ଟି ଆସନ, କଂଗ୍ରେସକୁ ୩୧ଟି ଆସନ ମିଳିପାରେ ବୋଲି ବିଟୋ ଆକଳନ କରିଛି ।ଗୋଆ

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ କୌଣସି ଦଳ କିମ୍ବା ମେଂଟକୁ ସରକାର ଗଠନ ପାଇଁ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଅଟେ । ଏପରି ସ୍ଥଳେ ଇଣ୍ଡିଆ ଟୁଡେ ଆକଳନ କରିଛି ଯେ, ଗୋଆରେ ବିଜେପିକୁ ୧୪ରୁ ୧୮ ଆସନ, କଂଗ୍ରେସକୁ ୧୫ରୁ ୨୦ ଆସନ ମିଳିପାରେ । ସେହିପରି ଏବିପି ସି-ଭୋଟର ଆକଳନ ଅନୁସାରେ ବିଜେପିକୁ ୧୩ରୁ ୧୭ ଆସନ, କଂଗ୍ରେସକୁ ୧୨ରୁ ୧୬ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି ।

ସେପଟେ ଜନ କି ବାତ୍ ଆକଳନ ଅନୁସାରେ, ବିଜେପିକୁ ୧୩ରୁ ୧୯ ଆସନ, କଂଗ୍ରେସକୁ ୧୪ରୁ ୧୯ ଆସନ ମିଳିପାରେ । ସେହିପରି ବିଜେପିକୁ ଗୋଆରେ ୧୪, କଂଗ୍ରେସକୁ ୧୬ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି ।ମଣିପୁର

ମଣିପୁରର ବିଧାନସଭା ନିର୍ବାଚନ ନେଇ ଆସିଛି ଏକଜିଟ୍ ପୋଲ । ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ଆସନରୁ ଏଥର ବିଜେପିକୁ ୩୩ରୁ ୪୩ ଆସନ ମିଳିପାରେ ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି । ସେହିପରି କଂଗ୍ରେସକୁ ୪ରୁ ୮ ଆସନ, ଏନପିପିକୁ ୪ରୁ ୮ ଆସନ ଓ ଅନ୍ୟାନ୍ୟଙ୍କୁ ୬ରୁ ୧୫ ଆସନ ମିଳିପାରେ ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି ।

ଅନ୍ୟପଟେ ସି- ଭୋଟର ସର୍ଭେ ଅନୁସାରେ ମଣିପୁରରେ ବିଜେପିକୁ ୧୨ରୁ ୧୬ ସିଟ୍ ମିଳିବା ନେଇ ଅନୁମାନ କରାଯାଉଥିବାବେଳେ, ବିଜେପିକୁ ୨୩ରୁ ୨୭ ସିଟ୍ , ଏନପିପିକୁ ୧୦ରୁ ୧୪ ସିଟ୍ ମିଳିପାରେ ବୋଲି ଆକଳନ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତଥର ମଣିପୁରରେ ବିଜେପି ୨୪ ସିଟ୍ ଜିତି ସବୁଠାରୁ ବଡ ଦଳର ମାନ୍ୟତା ପାଇଥିଲା । ଆଉ ଏହି ସମୟରେ କଂଗ୍ରେସକୁ ମିଳିଥିଲା କେବଳ ୧୭ ସିଟ୍ । ତେବେ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି – ଏନପିପି, ଏଲଜେପି ଓ କିଛି ସ୍ୱାଧୀନ ବିଧାୟକଙ୍କ ସହ ମିଶି ସରକାର ଗଠନ କରିଥିଲା । ଆଉ ଏନ୍ ବୀରେନ୍ ସିଂହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।