ଭାରତ ମହାସାଗରରେ ୩ ନୌସେନା ଘାଟି : ସାଟେଲାଇଟ ଜରିଆରୁ ସ୍ପଷ୍ଟ ହେଲା ଚିତ୍ର

695

କନକ ବ୍ୟୁରୋ : ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି । ବେଜିଂ ନିଜ ଯୁଦ୍ଧ ବିମାନକୁ ଏହି ଘାଟିରେ ମୁତୟନ କରିଛି । ସାଟେଲାଇଟ ଜରିଆରୁ ମିଳିଥିବା ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ଆଫ୍ରିକୀୟ ଦେଶ ଜିବୁଟିରେ ଚୀନ ନୌସେନା ଘାଟି କାର୍ଯ୍ୟକ୍ଷମ ହୋଇଛି । ଜିବୁଟ ହେଉଛି ଚୀନର ପ୍ରଥମ ଦରିଆପାରି ସେନା ଘାଟି । ୨୦୧୬ରୁ ଏହି ଘାଟିକୁ ତିଆରି କରିଆସୁଛି ଚୀନ୍ । ଏହି ଘାଟିରୁ ଚୀନ୍ ବିଭିନ୍ନ ସ୍ଥାନକୁ ଆକ୍ରମଣ କରିପାରିବାରେ ସକ୍ଷମ ବୋଲି ଜଣାପଡିଛି ।

ଯେଉଁ ସାଟେଲାଇଟ୍ ଇମେଜ ବା ଫୋଟୋ ଦେଖୁଛନ୍ତି ତାହା ମାକ୍ସରରୁ ସଂଗୃହୀତ ହୋଇଛି । ଏହି ଫଟୋରେ ଚାଇନାର ଯୁଝାଓ ବର୍ଗର ତଥା ୩୨୦ ମିଟର ଲମ୍ବ ବିଶିଷ୍ଟ ଏକ ଯୁଦ୍ଧଜାହାଜ ନୌସେନା ଘାଟିରେ ସାମିଲ ରହିଥିବା ବେଳେ ସେଠାରେ ଏକ ହେଲିକପ୍ଟର ଚଳାଚଳ କରୁଥିବା ଜଣାପଡିଛି । ନିିକଟରେ ଚୀନ ନିଜର ଅତ୍ୟାଧୁନିକ ବାଲାଷ୍ଟିକ ମିଶାଇଲ୍ ଟ୍ରାକିଂ ଜାହାଜ ୟୁଆନ ୱଙ୍ଗ ୫କୁ ଶ୍ରୀଲଙ୍କାର ହମ୍ବନଟୋଟାରେ ମୁତୟନ କରିଛି ।

ଆଉ ଏବେ ଏହି ସାଟେଲାଇଟ୍ ଇମେଜ ସେହି ସମୟରେ ଆସିଛି ଯେଉଁ ସମୟରେ ଭାରତର ବିରୋଧ ସତ୍ତ୍ୱେ ଶ୍ରୀଲଙ୍କର ଅନୁମତିକ୍ରମେ ଚୀନ ନିଜର ଏହି ମିଶାଇଲ ଟ୍ରାକିଂ ଜାହାଜ ମୁତୟନ କରିଛି । ଚୀନ୍ ଏହି ଜାହାଜକୁ ଗବେଷଣା ଦିଗରେ ବ୍ୟବହାର କରିବ ବୋଲି କହିଥିବାବେଳେ ଭାରତ ଏହାକୁ ଗୁପ୍ତଚର ଜାହାଜ ବୋଲି କହିଛି ।