ଲୋକନାଥଙ୍କ ଗୋଡରେ ବେଡି ପକାଇ ଆଇନର ଉଲ୍ଲଂଘନ କରିଛି ପୋଲିସ । ଜାଣନ୍ତୁ କଣ କହିଲେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ?

231

କନକ ବ୍ୟୁରୋ : ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ବେଡି ପକାଇବା ଘଟଣାକୁ ନେଇ ନୀଳଗିରି ପୋଲିସ ଏବେ କାଠଗଡାରେ । ଜଣେ ବ୍ୟକ୍ତିଙ୍କ ଗୋଡରେ ବେଡି ପକାଇବାକୁ ପୋଲିସକୁ କିଏ ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଜଣେ ବ୍ୟକ୍ତିଙ୍କ ଗୋଡରେ ବେଡି ପକାଯାଇ ପାରିବ କି ନାହିଁ ତାହାର ଉତ୍ତର ରଖିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।

ସଞ୍ଜୀବ କହିଛନ୍ତି, କୋର୍ଟଙ୍କ  ନିର୍ଦ୍ଦେଶକ୍ରମେ ଅପରାଧୀଙ୍କ ହାତରେ ହ୍ୟାଣ୍ଡକପ ପକାଇପାରିବେ ପୋଲିସ । ଏହାଛଡା ଜଣେ ବ୍ୟକ୍ତିଙ୍କ ହାତରେ ହ୍ୟାଣ୍ଡକପ ପକାଇବା ପାଇଁ କିଛି ଆଇନ ରହିଛି । ବିନା କୋର୍ଟଙ୍କ ଅନୁମତିରେ ଜଣେ ବ୍ୟକ୍ତି ହାତରେ ହ୍ୟାଣ୍ଡକପ ପକାଇବା ଦ୍ୱାରା ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ୧୯୯୫ରେ ହ୍ୟାଣ୍ଡକପ ପକାଇବାକୁ ନେଇ ଏକ ରାୟ ଦେଇଥିଲେ । କିନ୍ତୁ ଲୋକନାଥଙ୍କ କ୍ଷେତ୍ରରେ ଏହି ଆଇନର ଉଲ୍ଲଂଘନ ହୋଇଛି । ଛୋଟ ଛୋଟ ଘଟଣାରେ ଏମିତି ହେବା କଥା ନୁହେଁ । ଏହାର ତଦନ୍ତ ହେବା ଦରକାର । ପୋଲିସ ନିଜ ପାୱାରର ଦୁରୁପଯୋଗ କରୁଛି ।

ଏହାଛଡା ସଞ୍ଜୀବ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କୁ ଗିରଫ କରିବେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଏ ବାବଦରେ ଖବର ଦେବା କଥା । କେଉଁଠି ଅଛନ୍ତି ଓ କେଉଁ କାରଣ ପାଇଁ ତାଙ୍କୁ ଗିରଫ କରାଗଲା ସେ ବାବଦରେ ପ୍ରଥମେ ନିକଟ ସର୍ମ୍ପକୀୟଙ୍କୁ ଜଣାଇବା ଆବଶ୍ୟକ । କିନ୍ତୁ ଲୋକନାଥଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଲୋକନାଥଙ୍କୁ କେଉଁ କାରଣରୁ ଗିରଫ କରାଗଲା ସେ ବାବଦରେ ନୀଳଗିରି ପୋଲିସ ତାଙ୍କ ସମ୍ପକୀୟଙ୍କୁ କୌଣସି ସୂଚନା ଦେଇନଥିଲେ । ପୂରା ଘଟଣା ହିଁ ଦର୍ଶାଉଛି ଯେ, ପ୍ରତିଶୋଧ ଭାବନା ରଖି ଏଭଳି କାମ କରିଛି ପୋଲିସ । ତେଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍ ।