ବିହାରରେ ବଦଳିଳା ମେଣ୍ଟ, ଯାଦବ ପରିବାର ଉପରେ ପଡ଼ିଲା ଚଡ଼କ । ଚାକିରି ପାଇଁ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କୁ ଜେରା

77

କନକ ବ୍ୟୁରୋ: ବିହାରରେ ପୁରୁଣା ମେଣ୍ଟ ପତନ ହୋଇଛି । ନୀତୀଶଙ୍କ ନୂଆ ମେଣ୍ଟର ନୂଆ ସରକାରକୁ ଦିନେ ନପୁରୁଣୁ ଆକ୍ସନ ମୋଡକୁ ଆସିଛି ଇଡି । ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କରିଛି କାର୍ଯ୍ୟାନୁଷ୍ଠାନ । ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛି ଯାଦବ ପରିବାର । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପରେ ଏବେ ତେଜସ୍ୱୀ ଯାଦବଙ୍କ ପାଳି ପଡିଛି ।

ସମନ ପରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ସେପଟେ ପଟନା ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି ଆରଜେଡି କର୍ମୀଙ୍କ ପ୍ରବଳ ବିରୋଧ ପ୍ରଦର୍ଶନ । କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ହୋହାଲ୍ଲା ଭିତରେ ହାଜର ହୋଇଛନ୍ତି ତେଜସ୍ୱୀ ।

  • ବିଜେପି ଉପରେ ଆରଜେଡିର ଅଭିଯୋଗ
  • ‘ଇଡି’ ସାଜିଛି ବିଜେପି ହାତର କଣ୍ଢେଇ

ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା । ସୋମବାର ଏହି ମାମଲାରେ ଇଡିରେ ହାଜର ହୋଇଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ପାଟନା ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ୧୦ଘଂଟା ଧରି ଲାଲୁଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରାଯାଇଛି । ସମ୍ପୂର୍ଣ୍ଣ ଘଟଣା ପାଇଁ ବିଜେପି ଉପରେ ଅଭିଯୋଗ ଆଣିଛି ଆରଜେଡି । ସେପଟେ ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

ଆସନ୍ତୁ ଜାଣିବା କ’ଣ ଏହି ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଯେଉଁଥିରେ ଛନ୍ଦି ହୋଇପଡିଛି ପୂରା ଯାଦବ ପରିବାର ।

  • ଚାକିରି ପାଇଁ ଜମି ଦୁର୍ନୀତି ମାମଲା ୧୫ ବର୍ଷ ପୁରଣା
  • ୨୦୦୪ରୁ ୨୦୦୯ ଯାଏଁ ରେଳମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ
  • ଜମି ଦେବା ବଦଳରେ ଲୋକଙ୍କୁ ଚାକିରି କରାଇବା ପାଇଁ ଦେଇଥିଲେ ଅଫର
  • ସିବିଆଇ ଏହି ମାମଲାରେ ମେ’ ୧୮ ତାରିଖରେ ମାମଲା ରୁଜୁ କରିଥିଲା
  • ଲୋକଙ୍କୁ ପ୍ରଥମେ ଗ୍ରୁପ୍-ଡି’ରେ ପଦରେ ସବଷ୍ଟିଚ୍ୟୁଟ୍ ଭାବେ ଭର୍ତ୍ତି କରାଯାଇଥିଲା
  • ପରେ ପରିବାରଲୋକେ ଜମି ଡିଲ୍ କରିଥିଲେ
  • ଯାହା ପରେ ସେମାନଙ୍କ ଚାକିରି ନିୟମିତ କରାଯାଇଥିଲା

୨୦୨୨ରେ ସିବିଆଇର ଏଟ୍ରିଂ ହେବା ପରେ ଜଣଙ୍କ ପରେ ଜଣେ ଆରଜେଡି ନେତା ଓ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ନାଁ ମାମଲା ଭିତରୁ ଟାଣି ହୋଇଥିଲା । ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ, ତେଜସ୍ୱୀ ଯାଦବ, ତେଜପ୍ରତାପ ଯାଦବ, ମିଶା ଭାରତୀ, ରୋହୀଣି ଆଚାର୍ଯ୍ୟଙ୍କୁ ବାରମ୍ବାର ସମନ ପଠାଯାଇ ଜେରା କରୁଛି ଇଡି ।