ଆରବସାଗରରେ ଦମ ଦେଖାଇଲା ଭାରତୀୟ ସେନା । ଜଳଦସ୍ୟୁଙ୍କଠୁ ଉଦ୍ଧାର ପାଇଲେ ୧୯ ପାକିସ୍ତାନୀ ନାଗରିକ ।

୩୬ ଘଣ୍ଟା ଧରି ଚାଲିଲା ସେନାର ରେସ୍କ୍ୟୁ ଅପରେସନ

146

କନକ ବ୍ୟୁରୋ: ଆରବସାଗରରେ ପୁଣି ଦମ ଦେଖାଇଛି ଭାରତୀୟ ସେନା । ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କଲା ଦୁଇଟି ଜାହାଜ । ଗଭୀର ସମୁଦ୍ର ରାଶିରେ ଶକ୍ତି ପ୍ରଦର୍ଶନ କରିଛି ଆଇଏନଏସ ସୁମିତ୍ରା । କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି ଏହି ଘଟଣା । ଜଳଦସ୍ୟୁମାନେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ ଅପହରଣ କରି ବନ୍ଦୀ କରି ରଖିଥିଲେ । ସୂଚନା ପାଇବା ମାତ୍ରକେ ଭାରତୀୟ ନୌସେନା ନିଜର ଯୁଦ୍ଧ ଜାହାଜ ଆଇଏନଏସ୍ ସୁମିତ୍ରାକୁ ପଠାଇ ସମସ୍ତଙ୍କୁ ସୁରକ୍ଷିତ ବାହାର କରିଥିଲେ ।

ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ୨୯ ଜାନୁଆରୀରେ ‘ଅଲ୍ ନଇମ’କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ସେହିପରି ଜାନୁଆରୀ ୨୮ ତାରିଖରେ ଆରବ ସାଗର ନିକଟରୁ ନିଖୋଜ ହୋଇଥିବା ଜାହାଜ ‘ଏଫ୍ବି ଇମାନ’କୁ ଉଦ୍ଧାର କରିଥିଲା ଆଇଏନଏସ୍ ସୁମିତ୍ରା । ପ୍ରଥମେ ଆଇଏନଏସ୍ ସୁମିତ୍ରା ଇରାନର ଜାହାଜ ‘ଏଫବି ଇମାନ’କୁ ଉଦ୍ଧାର କରିଥିଲା । ଏହା ପରେ ଆଉ ଏକ ଅଭିଯାନରେ ‘ଅଲ୍ ନଇମି’କୁ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ କରିଛି । ଏହି ଅଭଯାନରେ ଭାରତୀୟ ନୌସେନାର ମେରାଇନ କମାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ ।

  • ମହାସାଗରରେ ମାତିଛନ୍ତି ଜଳଦସ୍ୟୁ
  • ସାବାଡ଼ କରୁଛି ଭାରତୀୟ ନୌସେନା
  • ଅଧିକ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତୀୟ ସେନା ସମୁଦ୍ର ସୀମାରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛି । ସୂଚନା ଅନୁସାରେ ଆରବ ସାଗରରେ ବର୍ତମାନ ୧୦ଟି ଯୁଦ୍ଧପୋତକୁ ମୁତୟନ କରିଛି ଭାରତ । ସମୁଦ୍ର ଉପରେ କଡ଼ାକଡ଼ି ନଜର ରଖୁଛନ୍ତି ଯୁଦ୍ଧ ବିମାନ ପି-ଏଇଟ ଆଇ, ସି-ଗାର୍ଡିୟନ, ଡୋନିୟର, ସଶକ୍ତ ହେଲିକପ୍ଟର ।

କିଛି ଦିନ ହେବ ଆରବସାଗରରେ ସୋମାଲିଆ ଓ ଲୋହିତ ସାଗରରେ ହୁତୀ ବିଦ୍ରୋହୀ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି । ସେମାନଙ୍କୁ ଦମନ କରିବା ପାଇଁ ବିଟ୍ରେନ ଓ ଆମେରିକା ନିଜ ନିଜର ଅପରେସନ ଜାରି ରଖିଛନ୍ତି । ସୂଚନା ଅନୁସାରେ ମହାସାଗରରେ ୨୦୦୮ରୁ ୨୦୧୩ ମଧ୍ୟରେ ଜଳଦସ୍ୟୁ ବେଶ ସକ୍ରିିୟ ଥିଲେ । ୫ବର୍ଷରେ ୭୦୦ ଆକ୍ରମଣ କରିଥିଲେ । ୨୦୧୪ରୁ ୨୦୧୯ରେ ଏହାର ସଂଖ୍ୟା କେବଳ ୧୪ ଥିଲା । ୩ବର୍ଷ ପରେ ପୁଣି ଥରେ ୨୦୨୩ରୁ ମହାସାଗରରେ ଜଳଦସ୍ୟୁ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ରାଷ୍ଟ୍ରମାନଙ୍କ ଲଗାତାର ଅପରେସନରେ ଦୁର୍ବଳ ପଡିଥିଲେ ସୋମାଲିଆ ଓ ଅନ୍ୟ ସଂଗଠନର ଜଳଦସ୍ୟୁ ।

ଗଭୀର ସମୁଦ୍ର ଜଳରାଶିରେ ପ୍ରହରୀ ସାଜିଥିବା ଭାରତୀୟ ସେନା ୨୪ ଘଂଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କରି କରି ଭାରତୀୟ ସେନା ଏକଥା ପୁଣି ପ୍ରମାଣ କରିଛି ଯେ ମହାସାଗରର ସୁରକ୍ଷା ପ୍ରତି ଭାରତ ସବୁବେଳେ ପ୍ରତିଶ୍ରୁତିବଦ୍ଧ ।