୪୦ ଘଣ୍ଟା ଲୁଚକାଳି ପରେ ରାଞ୍ଚି ଫେରିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରୁ ନଗଦ ଟଙ୍କା,ଦାମୀ କାର ଜବତ କଲା ଇଡି

226

କନକ ବ୍ୟୁରୋ: ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ଫେରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଫେରିବା ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ହେମନ୍ତ ସୋରେନ୍ । ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଜେଏମଏମ୍, କଂଗ୍ରେସ ସମେତ ମେଣ୍ଟର ବିଧାୟକ ସାମିଲ ହୋଇଛନ୍ତି ।

ବଡ଼ କଥା ହେଉଛି, ବୈଠକରେ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ୍ ମଧ୍ୟ ସାମିଲ ହୋଇଛନ୍ତି । ବୈଠକରେ ପତ୍ନୀ କଳ୍ପନା ଯୋଗଦେବା ପରେ ରାଜନୀତି ମହଲରେ ମଧ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି, ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କଳ୍ପନା । ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ଥର ସମନ ଜାରି କରାଯାଇଥିଲା ।

ସୋମବାର ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସେପଟେ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛନ୍ତି । ଜମି ଦୁର୍ନୀତି ସଂପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଖୋଜୁଥିବା ବେଳେ ଚିଠି ଲେଖିଛନ୍ତି ସୋରେନ ।

ଇଡି ଚଢାଉକୁ ନେଇ ଉତ୍ତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ ମିଟର ପରିଧି ଭିତରେ ୧୪୪ ଧାରା ଜାରି କରାଯାଇଛି । ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି ।

ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଯଦି ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ, ତାହେଲେ ତାଙ୍କ ସ୍ଥାନରେ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଏନେଇ ବଢ଼ିଛି କଳ୍ପନାଜଳ୍ପନା ।