ଇଭିଏମରେ ପଡିଥିବା ଭୋଟ ଓ ଗଣତି ଭୋଟ ମଧ୍ୟରେ ବିରାଟ ତାରତମ୍ୟ ଅଭିଯୋଗ : ହାଇକୋର୍ଟରେ ପହଞ୍ଚିଲା କଣ୍ଟାବାଞ୍ଜି ମାମଲା, ଜାତୀୟ ଗଣମାଧ୍ୟମରେ ବି ଭୋଟ ଅସଙ୍ଗତି ନେଇ ଚର୍ଚ୍ଚା

831

କନକ ବ୍ୟୁରୋ : ଭୋଟ୍ ଗଣତିରେ ଗଡ଼ବଡ଼ । କେବଳ କଂଟାବାଂଜି ନୁହେଁ ଦେଶର ୩ ଶହ ୭୦ରୁ ଅଧିକ ନିର୍ବାଚନ କ୍ଷେତ୍ରରେ ଏଭଳି ଅସଂଗତି ଦେଖାଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନିର୍ବାଚନ କମିସନଙ୍କ ୱେବସାଇଟରେ ଦିଆଯାଇଥିବା ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରକାଶ କରିଛି ଦି କୁଇଂଟ । ରିପୋର୍ଟ କହୁଛି ୩୭୩ଟି ଲୋକସଭା ନିର୍ବାଚନ କ୍ଷେତ୍ରରେ ପଡିଥିବା ଭୋଟ ଠାରୁ ଗଣତି ହୋଇଥିବା ଭୋଟ ଅଧିକ । କେତୋଟି ନିର୍ବାଚନ କ୍ଷେତ୍ରର ଉଦାହରଣ ବି ଦେଇଛି ।

ବିଜେପି ପ୍ରାର୍ଥୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ବିଜୟ ହୋଇଛନ୍ତି । ନିର୍ବାଚନ କମିସନଙ୍କ ତଥ୍ୟ କହୁଛି ଭୋଟିଂ ଦିନ ଏଠାରେ ୧୦ ଲକ୍ଷ ୮୮ ହଜାର ୨୦୬ ଭୋଟ ପଡିଥିବା ବେଳେ ଇଭିଏମରେ ଭୋଟ ଗଣତି ହୋଇଛି ୧୦ ଲକ୍ଷ ୯୮ ହଜାର ୧୧୨ । ଅର୍ଥାତ ପଡିଥିବା ଭୋଟ ଠାରୁ ଗଣତି ହୋଇଥିବା ଭୋଟ ୯ହଜାର ୯୦୬ ଖଣ୍ଡ ଅଧିକ । ଏହିଭଳି ଆଉ କେତୋଟି ସଂସଦୀୟ କ୍ଷେତ୍ରର ଉଦାହରଣ ଦିଆଯାଇଛି ।

ଯାହା ମଧ୍ୟରେ ଓଡିଶାରେ କେନ୍ଦୁଝର ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ମଧ୍ୟ ରହିଛି । ଏଠାରେ କିନ୍ତୁ ପଡିଥିବା ଭୋଟ ଠାରୁ ଗଣତି ହୋଇଥିବା ଭୋଟ କମ ରହିଛି । ଏହି ଅସଂଗତି ବାବଦରେ ନିର୍ବାଚନ କମିସନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତର ମିଳିନଥିବା ସଂସ୍ଥା ରିପୋର୍ଟ କରିଛି । ଯାହା ଇଭିଏମର ସ୍ୱଚ୍ଚତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।