ଛତିଶଗଡ କିଣୁଛି ଓଡିଶା ଧାନ : ବିଳମ୍ବିତ ମଣ୍ଡିର ଫାଇଦା ଉଠାଉଛନ୍ତି ସ୍ଥାନୀୟ ଦଲାଲ ଓ ଛତିଶଗଡ ବେପାରୀ, କମ୍ ଦରରେ ଧାନ ବିକ୍ରି କରି ହତାଶ ଧର୍ମଗଡ ଚାଷୀ

86

କନକ ବ୍ୟୁରୋ : ପ୍ରଶାସନର ଅବହେଳା ଯୋଗୁଁ ଓଡିଶାରେ ରାଜ୍ କରୁଛନ୍ତି ଛତିଶଗଡ ଧାନ ବେପାରୀ । ମଣ୍ଡି ଖୋଲିବାରେ ବିଳମ୍ବ ହେତୁ କମ୍ ଦରରେ ଧର୍ମଗଡ ଚାଷୀଙ୍କ ଧାନ କିଣି ନେଉଛନ୍ତି ଛତିଶଗଡ ବେପାରୀ । ଆଉ କ୍ଷତି ସହୁଛନ୍ତି ଚାଷ । ରାଜ୍ୟରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଛତିଶଗଡ ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି ଓଡିଶା ଚାଷୀ । ଚଳିତ ଖରିଫ ଧାନ କିଣିବା ପାଇଁ ମେ’ ୨୫ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଖୋଲିବ ବୋଲି ପ୍ରଶାସନ ଘୋଷଣା କରିଥିଲା । ହେଲେ ଏଯାଏଁ ମଣ୍ଡି ଖୋଲି ନଥିବାରୁ ଧର୍ମଗଡ ଉପଖଣ୍ଡର ବହୁ ବ୍ଲକରେ ଛତିଶଗଡ ବେପାରୀ ଓ ସ୍ଥାନୀୟ ଦଲାଲଙ୍କ ରାଜ ଚାଲିଛି । ଚାଷୀଙ୍କ ଅସୁବିଧାର ଫାଇଦା ଉଠାଇ ଖୁବ୍ କମ୍ ଦରରେ ଧାନ କିଣି ନେଉଛନ୍ତି ।

ଧର୍ମଗଡ ଉପଖତ୍ପର ଅଧିକାଂଶ ଚାଷୀ ଖରିଫ ଋତୁରେ କେନାଲ ପାଣିକୁ ଭରସା କରି ଧାନ ଚାଷ କରିଥାନ୍ତି । ଜୟପଟଣା, କୋକସରା, ଜୁନାଗଡ ଓ ଧର୍ମଗଡ ବ୍ଲକରେ ଧାନ କରାଯାଇଛି । ଧାନ ଅମଳ ପରେ ମଣ୍ଡିରେ ବିକ୍ରି କରିବା ପାଇଁ ଚାଷୀ ଘରେ ଓ ଜମିରେ ଧାନ ବସ୍ତାକୁ ସାଇତି ରଖିଛି । ହେଲେ ମଣ୍ଡି ଖୋଲୁ ନଥିବା ବେଳେ ଅପରାହ୍ନରେ ଅଚାନକ ଆସୁଥିବା କଳବୈଶାଖୀ ଚାଷୀର ସମସ୍ୟା ବଢାଇ ଦେଇଛି । ଗତ ୨୫ ତାରିଖରୁ ସରକାରୀ କାଗଜ ପତ୍ରରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରକୃତରେ ଚାଷୀର ବସ୍ତାଏ ଧାନ ଏଯାଏଁ ମଣ୍ଡିରୁ ଉଠି ପାରିନାହିଁ ।