ସାମନାକୁ ଆସିଲା ଦାନ୍ତେୱାଡାରେ ନକ୍ସଲଙ୍କ ଗୁଳିମାଡ଼ର ଚିତ୍ର । ବିସ୍ଫୋରଣ ପରେ ବି ଯବାନଙ୍କ ଗାଡିକୁ ଗୁଳିବର୍ଷା କରିଥିଲେ ନକ୍ସଲବାଦୀ

105

କନକ ବ୍ୟୁରୋ:  ଦେଶ ଭିତରେ ରହି ନକ୍ସଲବାଦୀ ମାନେ କେମିତି ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନଙ୍କୁ ମାରିବା ପାଇଁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରିଥିଲେ, ଆଉ ଚକ୍ରବ୍ୟୁହ ରଚିଥିଲେ, ତାହା ସାମନାକୁ ଆସିଛି । ଏଥିସହ ସାମନାକୁ ଆସିଛି ଲାଲ ବାହିନୀ କେମିତି ଯବାନଙ୍କୁ ମାରିବା ପରେ ବି ରକ୍ତମୁଖା ପାଲଟିଥିଲେ, ଆଉ ବିସ୍ଫୋରଣ ପରେ ଅନ୍ଧାଧୁନ ଗୁଳି ମାଡ କରିଥିଲେ ।

  • ଛତିଶଗଡର ଛାତିଥରା ଦୃଶ୍ୟ 
  • ବିସ୍ଫୋରଣ ପରେ ଗୁଳି ବର୍ଷା 

ଛତିଶଗଡ ଦାନ୍ତେୱାଡାରେ ଛାତିକୁ ଦୋହଲାଇ ଦେଇଥିବା ନକ୍ସଲ ଆକ୍ରମଣର ସମୟର ଚିତ୍ର ହିଁ କହୁଛି, କେତେ ଭୟଙ୍କର ଥିଲା ବିସ୍ଫୋରଣ  । ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟରେ ଉଡିଯାଇଥିଲା ଯବାନଙ୍କ ଗାଡି । ୨୦ ଫୁଟ ଉପରକୁ ଉଠି ଘଟଣାସ୍ଥଳରୁ ପ୍ରାୟ ୧୫୦ ମିଟର ଦୂରକୁ ଗାଡିଟି ଛିଟିକି ପଡ଼ିଥିଲା  । ତେବେ ଏହି ଘଟଣାରେ ଚାଲିଯାଇଥିଲା ୧୦ ଯବାନଙ୍କ ସମେତ ୧୧ଜଣଙ୍କ ଜୀବନ । ତଥାପି ବିସ୍ଫୋରଣ ପରେ ବି ମାଓବାଦୀଙ୍କ ମନ ବୁଝିନଥିଲା, ବିସ୍ଫୋରଣ ପରେ କରିଥିଲେ ମନ ଇଚ୍ଛା ଗୁଳି ବର୍ଷା । ଧ୍ୱଂସ ହୋଇଥିବା ଗାଡି ପଛରେ ଆସୁଥିବା ଅନ୍ୟ ଏକ ଗାଡିରେ ଥିବା ଯବାନ ମୋବାଇଲରେ ଏହାର ଭିଡିଓ ରେକର୍ଡିଂ କରିଥିବା ଜଣାପଡିଛି ।

ସର୍ଚ୍ଚ ଅପରେସନରେ ଯାଇଥିବା ଯବାନଙ୍କୁ ମାରିବା ପାଇଁ ଯୋଜନାବଦ୍ଧ ଭାବେ ଚକ୍ରବ୍ୟୁହ ରଚିଥିଲେ ମାଓବାଦୀ । ସୂଚନା ଅନୁସାରେ ଘଟଣାସ୍ଥଳଠାରୁ ମାତ୍ର କିଛି ଦୂରରେ ଚାଲିଥିଲା ଅମା ପାଣ୍ଡୁମ ପର୍ବ  । ଆଉ ଏତିକିବେଳେ କିଛି ଛୋଟ ପିଲା ସୁରକ୍ଷାକର୍ମୀଙ୍କ ଗାଡି ଆଗକୁ ଚାଲି ଆସିବା ସହ ରାସ୍ତାରେ ବାଉଁଶ ପକାଇ ଟଙ୍କା ମାଗିଥିଲେ  । ଏଥିସହ ଅମା ପାଣ୍ଡୁମ ପର୍ବ ଚାଲିଥିବାରୁ ଗାଡି ତୀବ୍ର ଗତିରେ ଯାଇପାରିନଥିଲା । ଆଉ ଗାଡି ଧିରେ ଧିରେ ଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

ତେବେ ଏହି ଅଘଟଣ ପରେ ତ୍ରିରଙ୍ଗାରେ ଘୋଡାଇ ହୋଇ ଧାଡି ଧାଡି ହୋଇ ଶୋଇ ଯାଇଛନ୍ତି ବୀର ପୁଅ । କିଏ ଦେଢ଼ ମାସ ତଳେ ଚାକିରି ପାଇଥିଲା ତ, ଆଉ କିଏ ବର୍ଷେ ତଳେ ବିବାହ କରିଥିଲେ, ଆଉ ଏବେ ସେହି ପ୍ରିୟ ମଣିଷର ମର ଶରୀର ଦେଖି ନିଜର କୋହକୁ ଚାପି ରଖିପାରୁନାହାନ୍ତି, ପରିବାର । ଯବାନ ପୁଅକୁ ହରାଇ ରାହା ଧରି କାନ୍ଦୁଛନ୍ତି ମା । ଧର୍ଯ୍ୟ ହରାଉଛନ୍ତି ପତ୍ନୀ  । ସମ୍ପର୍କୀୟଙ୍କ ଆଖିରୁ ଶୁଖୁନି ଲୁହ । ଏହାରି ଭିତରେ ବୀର ସହିଦଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ଯବାନଙ୍କ ପ୍ରାର୍ଥୀବ ଶରୀରକୁ କାନ୍ଧ ଦେଇଛନ୍ତି ।

ତେବେ ୨୦୨୧ ପରେ ପୁଣି ଥରେ ବଡ ଆକ୍ରମଣ କରି ନିଜର ଉପସ୍ଥିତି ଜାହିର କରିଛି ଲାଲ ବାହିନୀ । ଯାହା ଦାନ୍ତେୱାଡା ସମେତ ଆଖପାଖ ଜଙ୍ଗଲ ଭିତରେ ରହୁଥିବା ଲୋକଙ୍କ ଭିତରେ ପୁଣି ଥରେ ଭୟ ସୃଷ୍ଟି କରିଛି । ଆଉ ନକ୍ସଲଙ୍କୁ ନିପାତ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।