ଗାଡ଼ି ଚାଳକ ସାବଧାନ!…. ମାସିକିଆ ଆଦାୟ ହେବ ୧୪ କୋଟି ଟଙ୍କାର ଜରିମାନା । ବିଭାଗର ଅଧିକାରୀଙ୍କୁ ଟାର୍ଗେଟ ଦେଲେ ପରିବହନ କମିସନର

459

କନକ ବ୍ୟୁରୋ: ଏଣିକି ଗାଡି ଚଳାଇବାବେଳେ ଜୋରଦାର ହେବ ଧରପଗଡ । ଏଥିପାଇଁ ଅଧିକାରୀଙ୍କୁ ଦିଆଯାଇଛି ମାସିକିଆ ଟାର୍ଗେଟ । କିଏ ଚାଲାଣ କାଟିବ, କେତେ ଟଙ୍କାର ଜରିମାନା ଆଦାୟ କରିବ ସେ ନେଇ ପୂରା ତାଲିକା ପ୍ରକାଶ ପାଇଛି । ଏ ନେଇ ସମସ୍ତ ଆରଟିଓ ଓ ଟ୍ରାଫିକ ସୁପରିଟେଣ୍ଡେଣ୍ଟକୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଅର୍ଥାତ ଫାଇନ ଆଦାୟ ଆଗ ଭାବେ ଗ୍ରହଣ କରାଯାଇଛି । ଲୋକଙ୍କ ସୁରକ୍ଷାକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ ।

  • ଗାଡ଼ି ଚାଳକ ସାବଧାନ!
  • ମାସିକିଆ ଆଦାୟ ହେବ ୧୪ କୋଟି ଟଙ୍କାର ଜରିମାନା
  • ବିଭାଗର ଅଧିକାରୀଙ୍କୁ ଟାର୍ଗେଟ ଦେଲେ ପରିବହନ କମିସନର

ଏଣିକି ଗାଡ଼ି ଚଳାଇବା ବେଳେ ନିୟମ ଭାଙ୍ଗିଲେ ନିସ୍ତାର ମିଳିବ ନାହିଁ । କାରଣ ଜୋରଦାର ହେବ ଧରପଗଡ଼ । ସମସ୍ତ ଆରଟିଓ, ବଡ଼ବିଲ,ଖୋର୍ଦ୍ଧା ରାଇରଙ୍ଗପୁରର ଅତିରିକ୍ତ ଆରଟିଓ ଏବଂ ଛତ୍ରପୁର, ସମ୍ବଲପୁରର ଟ୍ରାଫିକ୍ ଡେପୁଟି ସୁପରିଟେଣ୍ଡଣ୍ଟଙ୍କୁ ଟ୍ରାନ୍ସପୋର୍ଟ କମିସନର ଚିଠି ଲେଖି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବଡ଼ ଠାରୁ ଛୋଟ ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଦିଆଯାଇଛି ମାସିକିଆ ଟାର୍ଗେଟ । କିଏ କେତେ ଚାଲଣ କାଟିବ, କେତେ ଟଙ୍କାର ଜରିମାନା ଆଦାୟ କରିବ, ଏ ନେଇ ପୂରା ତାଲିକା ପ୍ରକାଶ ପାଇଛି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ, ଆଉ ତଥ୍ୟ କହୁଛି ଡ୍ରାଇଭରର ଭୁଲ ଯୋଗୁଁ ହେଉଛି ଦୁର୍ଘଟଣା । ତେଣୁ ନିୟମକୁ କଡ଼ାକଡ଼ି ଲାଗୁ କରିବା ଉପରେ ଜୋର ଦିଆଯାଇଛି । ତେବେ ପରିବହନ ବିଭାଗର ଜନସାଧାରଣ ଓ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ରାଜସ୍ୱ ପାଇଁ ଜିଲ୍ଲା ଭିତ୍ତିରେ ବିଭାଗର ମାସିକିଆ ଟାର୍ଗେଟକୁ ସହଜରେ ଗ୍ରହଣ କରିହେଉନି । ପରିବହନ ବିଭାଗ ଯେଉଁ ଚିଠି ଦେଇଛି, ତାହା ଜଳଜଳ କରି ଦର୍ଶାଉଛି ଯେ ଫାଇନ ଆଦାୟ କରି ରାଜସ୍ୱ ବଢ଼ାଇବା ହେଉଛି ବିଭାଗର ମୁଖ୍ୟ ଲକ୍ଷ୍ୟ ।

  • ଫାଇନ୍ ଆଦାୟ ଆଗ!
  • ଲୋକଙ୍କ ସୁରକ୍ଷା ପଛ!

କିପରି ସଡ଼କ ଦୁର୍ଘଟଣା କମିବ, କିପରି ଲୋକ ଅଧିକ ସଚେତନ ହେବେ, କିପରି ଯାଞ୍ଚ ବଢ଼ିବ, ଏ ନେଇ କୌଣସି ଟାର୍ଗେଟ ଦିଆଯାଇନାହିଁ । ବିଭାଗର ସଂପୂର୍ଣ୍ଣ ଫୋକସ ରହିଛି କେତେ ଟଙ୍କାର ଫାଇନ୍ କାଟିବେ ଅଧିକାରୀ । ନଜର ପକାନ୍ତୁ…

କେଉଁ ଅଞ୍ଚଳ ପାଇଁ କେତେ ମାସିକିଆ ଟାର୍ଗେଟ?

  • ଭୁବନେଶ୍ୱର-୧ : ୫୦ ଲକ୍ଷ
  • ଭୁବନେଶ୍ୱର-୨ : ୩୯ ଲକ୍ଷ
  • କଟକ : ୫୦ ଲକ୍ଷ
  • ଗଞ୍ଜାମ : ୫୫ ଲକ୍ଷ
  • ସମ୍ବଲପୁର : ୪୨ ଲକ୍ଷ

ଅଧିକାଂଶ ଜିଲ୍ଲାରେ ୪୨ ଲକ୍ଷ ଟଙ୍କା ଲେଖାଁଏ ରହିଛି ମାସିକିଆ ଟାର୍ଗେଟ ରହିଛି । ରାଜ୍ୟରୁ ପାଖାପାଖି ୧୪ କୋଟି ଟଙ୍କାର ଫାଇନ୍ ଆଦାୟ ପାଇଁ ଲକ୍ଷ୍ୟ ରହିଛି । ଶତ ପ୍ରତିଶତ ଟାର୍ଗେଟ ହାସଲ ପାଇଁ ନିର୍ଦ୍ଦେଶ ରହିଛି । ପ୍ରତି ମାସର ୭ ତାରିଖରେ ପୂର୍ବମାସର ଜରିମାନା ସଂପର୍କରେ ସୂଚନା ପଠାଇବେ ଅଧିକାରୀ । ଏପଟେ ସୁଡ଼କ ସୁରକ୍ଷା ବିଶେଷଜ୍ଞ କହିବା କଥା ଯେଉଁଠି ଅଧିକ ଫାଇନ ଆଦାୟ ହେଉଛି, ସେଠି ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ହେବା ନେଇ ତଥ୍ୟ ରହିଛି ।

ସବୁଠୁ ବଡ଼ କଥା ହେଲା, ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ନଦେଇ ଫାଇନ ଆଦାୟ କରିଦେଲେ ଦୁର୍ଘଟଣା ରୋକିବା ସମ୍ଭବ ହେବନାହିଁ କି ବାସ୍ତବ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବନି ପରିବହନ ବିଭାଗ ।