‘ନିର୍ବାଚନୀ ବଣ୍ଡ’କୁ ନେଇ ବିଜେପିକୁ ଟାର୍ଗେଟ୍ । ଚର୍ଚ୍ଚାରେ କଂଗ୍ରେସର ବିଜ୍ଞାପନ, ଚାନ୍ଦା ଦିଅ, ଧନ୍ଦା ନିଅ!

105

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନରେ ‘ଇଲେକ୍ଟୋରାଲ ବଣ୍ଡ’କୁ ପ୍ରମୁଖ ପ୍ରସଙ୍ଗ କରିବାକୁ ସ୍ଥିର କରିଛି କଂଗ୍ରେସ । ନିର୍ବାଚନୀ ବଣ୍ଡ ଜରିଆରେ ମୋଟା ଆକାରରରେ ଚାନ୍ଦା ଆଦାୟ କରିବା ଅଭିଯୋଗରେ ବିଜେପିକୁ ଟାର୍ଗେଟ କରୁଛି କଂଗ୍ରେସ । ଏହାକୁ ନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି । ପ୍ରାୟ ସବୁ ଆଂଚଳିକ ଖବର କାଗଜରେ ପ୍ରକାଶ ପାଇଛି କଂଗ୍ରେସର ଏହି ବିଜ୍ଞାପନ । ଏଥିରେ ଲେଖାଯାଇଛି, ଦୁନିଆର ସବୁଠାରୁ ବଡ ବଟି ବସୁଲି ରାକେଟ୍ । ଚାନ୍ଦା ଦିଅ ଧନ୍ଦା ନିଅ! ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଜେପି ୨ ଜାନୁଆରୀ ୨୦୧୮ରୁ ୧୫ ଫେବ୍ରୁଆରୀ ୨୦୨୪ ମଧ୍ୟରେ ୮ ହଜାର କୋଟିରୁ ଅଧିକ ଚାନ୍ଦା ଆଦାୟ କରିଥିବା ବିଜ୍ଞାପନ ଜରିଆରେ ଟାର୍ଗେଟ କରିଛି କଂଗ୍ରେସ । ଏଥର ଏହି ବସୁଲି ସରକାର ବଦଳାଇ ଦେବାକୁ କଂଗ୍ରେସର ଏହି ବିଜ୍ଞାପନରେ ଉଲ୍ଲେଖ କରାଯାଇଛି ।

୨୦୧୭ ମସିହାରେ ରାଜନୈତିକ ଦଳଗୁଡିକୁ ଚାନ୍ଦା ପ୍ରଦାନ ପାଇଁ ଏଭଳି ବ୍ୟବସ୍ଥା ବିଜେପି ପ୍ରଚଳନ କରିଥିଲା ଏବଂ ଏହାକୁ ନିର୍ବାଚନୀ ଦାନ ପ୍ରକ୍ରିୟାକ ସ୍ୱଚ୍ଛ କରିବା ପାଇଁ ଏକ ସଂସ୍କାର ବୋଲି ଦର୍ଶାଇଥିଲା ଭାରତୀୟ ଜନତା ପାର୍ଟି । ତେବେ ଏହି ଯୋଜନାର ସମାଲୋଚନା ସତ୍ୱେ କେନ୍ଦ୍ର ସରକାର ଏହା ସପକ୍ଷରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ଇଲକ୍ଟୋରାଲ ବଣ୍ଡ ଦ୍ୱାରା ନିର୍ବାଚନ ସମୟରେ କଳାଟଙ୍କାର ପ୍ରଭାବକୁ ରୋକିବାରେ ସହାୟକ ହେଉଥିବା ଯୁକ୍ତି ବାଢିଛନ୍ତି ସରକାର । ହେଲେ କଂଗ୍ରେସ କହିଛି ଏହି ନିର୍ବାଚନୀ ବଣ୍ଡରୁ ବିପୁଳ ପରିମାଣରେ ଚାନ୍ଦା ଆଦାୟ କରିଛି ବିଜେପି ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୧ ମାର୍ଚ୍ଚରେ ନିର୍ବାଚନୀ ବଣ୍ଡ ସଂକ୍ରାନ୍ତିୟ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛନ୍ତି । ଏହାପରେ ନିର୍ବାଚନ କମିଶନ୍ ଏହାକୁ ସାର୍ବଜନୀନ କରିଛନ୍ତି ।

ଏସବିଆଇର ତଥ୍ୟ ଅନୁସାରେ,
– ମୋଟ ୧୨୬୩ଟି ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି
– ବିଜେପିକୁ ୧୦ଟି କମ୍ପାନୀ ୨,୧୨୩ କୋଟି ଟଙ୍କା ଦେଇଛନ୍ତି
– କଂଗ୍ରେସକୁ ୧୦ଟି କମ୍ପାନୀ ୬୧୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି

ମୋଦୀ ସରକାର ବସୁଲି ରାକେଟ୍ ଚଳାଉଥିବା କହି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଜେପିକୁ ଦାନ ଦେଇିବା ୨୧ଟି କମ୍ପାନୀ ଏମିତି ଅଛନ୍ତି, ଯେଉଁମାନେ ଇଡି, ସିବିଆ ଓ ଆୟକର ବିଭାଗର ତଦନ୍ତ ପରିସର ଭୁକ୍ତ ହୋଇଥିଲେ । ଚାନ୍ଦା ଦେବା ପରେ ଏହି ତଦନ୍ତ ବନ୍ଦ ହୋଇଯାଇଥିବା କଂଗ୍ରେସ ଅଭିଯୋଗ କରିଛି ।