ରାଜ୍ୟରେ ଥମୁନି ହାତୀ ମୃତ୍ୟୁ : କେତେବେଳେ ବିଦ୍ୟୁତ ଆଘାତ ଆଉ କେତେବେଳେ ହେଉଛନ୍ତି ଶିିକାର; କେତେ ଚେତିବ ବନବିଭାଗ ?

84

କନକ ବୁରୋ : ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କେତେବେଳେ ବିଦ୍ୟୁତ ଆଘାତ ତ ଆଉ କେତେବେଳେ ଶିକାର ହେଉଛନ୍ତି ଗଜରାଜ । ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି । ମୃତ ହାତୀଙ୍କ ମଧ୍ୟରୁ ୩୪ଟି ହାତୀ ଶିକାର ହୋଇଥିବା ବେଳେ ୬ଟି ହାତୀକୁ ବିଷ ଦିଆଯାଇଛି । ସେହିପରି ବିଦ୍ୟୁତ ଆଘାତରେ ୪୩ଟି ଓ ସୁଚିନ୍ତିତ ଭାବେ ବିଦ୍ୟୁତ ତାର ବିଛାଯାଇ ୬୧ଟି ହାତୀକୁ ହତ୍ୟା କରାଯାଇଛି ।

ଟ୍ରେନ ଦୁର୍ଘଟଣାରେ ୩୦, ରାସ୍ତା ଦୁର୍ଘଟଣାରେ ୬ଟି ପ୍ରାଣ ହରାଇଛନ୍ତି । ହାତୀ ହାତୀ ଲଢେଇ ଯୋଗୁଁ ପାହାଡରୁ ଖସି ୧୩୨ଟି ହାତୀ ପ୍ରାଣ ହରାଇଥିବା ସୂଚନା ରହିଛି । ସେହିପରି ରୋଗରେ ପଡ଼ି ମରିବା ସଂଖ୍ୟା ମଧ୍ୟ କମ୍ ନୁହେଁ । ୧୦ ବର୍ଷ ମଧ୍ୟରେ ଆନ୍ଥ୍ରାକ୍ସ ରୋଗରେ ୫୪ଟି, ହର୍ପିସରେ ୯ଟି ଓ ଅନ୍ୟାନ୍ୟ ରୋଗରେ ୨୧୮ଟି ହାତୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ସ୍ୱାଭାବିକ ଭାବେ ୯୪ଟି ମରିଛନ୍ତି । ୯୭ଟି ହାତୀ ମୃତ୍ୟୁ ଘଟଣାର ଏବେ ବି କାରଣ ଖୋଜୁଛି ବନ ବିଭାଗ । ୨୦୧୮-୧୯ରେ ସର୍ବାଧିକ ୯୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଏହା ପରଠାରୁ ପ୍ରତିବର୍ଷ ହାତୀଙ୍କ ମୃତ୍ୟୁ ଚିନ୍ତାଜନକ ରହୁଛି ।

ପ୍ରତିବର୍ଷ ହାରାହାରି ୮୦ଟି ହାତୀଙ୍କର ଜୀବନ ଯାଉଛି । ୨୦୨୨-୨୩ ଆର୍ôଥକ ବର୍ଷରେ ଏବେ ସୁଦ୍ଧା ୭୯ରୁ ଅଧିକ ହାତୀଙ୍କର ଜୀବନ ଯାଇଥିବା ସୂଚନା ରହିଛି । ନିୟମ ଅନୁଯାୟୀ, ପ୍ରତି ଦୁଇ ବର୍ଷ ବ୍ୟବଧାନରେ ହାତୀ ଗଣନା କରାଯିବା କଥା । ଅନ୍ତିମ ଥର ପାଇଁ ୨୦୧୭ରେ ହାତୀ ଗଣନା ହୋଇଥିବା ବେଳେ ଏବେ ସୁଦ୍ଧା ହାତୀ ଗଣନା ହୋଇନାହିଁ । ତେଣୁ ରାଜ୍ୟରେ ଏବେ କେତେ ହାତୀ ରହିଛନ୍ତି ତାହା ଅସ୍ପଷ୍ଟ ରହିଛି ।