କାହିଁକି ଏମିତି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ? ରାହୁଲଙ୍କୁ ହିରୋ ବନେଇବାକୁ ଚେଷ୍ଟା କରୁଛି ବିଜେପି ।

110

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି । ରାଜନୈତିକ ଦଳମାନେ ଏବେଠୁ ପରସ୍ପର ବିରୋଧରେ ଶବ୍ଦ ବାଣ ମାରିବା ଆରମ୍ଭ କରିଦେଇଥିବାବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାରି ଭିତରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ମମତା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହିରୋ ବନେଇବାକୁ ଚେଷ୍ଟା କରୁଛି ।

ତେବେ ମମତାଙ୍କ କହିବା କଥା, ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ଟିପ୍ପଣୀକୁ ନେଇ ବିଜେପି ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ରାହୁଲ ଗାନ୍ଧୀଙ୍କୁ ହିରୋ ସଜେଇ, ଅସଲି ମୁଦ୍ଦା ଉପରୁ ଧ୍ୟାନ ହଟାଉଛି ବିଜେପି । ତେବେ ବିଜେପି ସହିତ କଂଗ୍ରେସର ଲଢେଇ ଶେଷ ହୋଇସାରିଛି । ପଶ୍ଚିମବଙ୍ଗରେ ବିଜେପି ଓ କଂଗ୍ରେସ ଭିତରେ ମୌନ ସହମତି ଅଛି ବୋଲି ମମତା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ତୃଣମୂଳ କଂଗ୍ରେସ ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଛି ଯେ କଂଗ୍ରେସ ସହ ତାଙ୍କର କୌଣସି ପ୍ରକାର ରାଜନୈତିକ ବୁଝାମଣା ହେବନାହିଁ । ନିକଟରେ ବସିଥିବା ଟିଏମସି ବୈଠକରେ ଏନେଇ ମମତା ନିର୍ଣ୍ଣୟ ନେଇଛନ୍ତି । ତୃଣମୂଳ କଂଗ୍ରେସର ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ଭାଜପା ବିରୋଧରେ ସଠିକ୍ ବିରୋଧୀ ପାଇଁ କଂଗ୍ରେସର ଭୂମିକା ଠିକ୍ ନୁହେଁ ।