ଆଜିି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ’ଣ ରହିଛି ଜନତାଙ୍କ ମୁଡ୍, ସାରା ଦେଶର ନଜର  ।

100

କନକ ବ୍ୟୁରୋ: ୨୪ ପୂର୍ବର ସେମିଫାଇନାଲ । ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ବିଧାନସଭା ଫଳାଫଳ କଂଗ୍ରେସ ଓ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି ।

ତେଲେଙ୍ଗାନାରେ ଦୁଇ ଦୁଇ ଥରର ଶାସକ ଦଳ ବିଆରଏସକୁ କଡା ଟକ୍କର ଦେଉଛି କଂଗ୍ରେସ । ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ,  ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ତେଣୁ ଏବେଠାରୁ ଉଭୟ ରାଜ୍ୟରେ  ସ୍ୱାଧୀନ ଓ ଅନ୍ୟ ଛୋଟ ଦଳର ସମର୍ଥନ ଉପରେ ବିଚାରବିମର୍ଷ ଆରମ୍ଭ କରିଦେଇଛନ୍ତି ଉଭୟ ଦଳ ।

ଛତିଶଗଡ ଓ ତେଲେଙ୍ଗାନାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲି ଆକଳନ କରିଛନ୍ତି ।  ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତନ ହେବ । ଏହି ୪ ରାଜ୍ୟର ଫଳାଫଳ ଏକ ବଡ଼ ସନ୍ଦେଶ ଦେବ । ରାଜ୍ୟ ପ୍ରସଙ୍ଗକୁ ନେଇ ବିଧାନସଭା ନିର୍ବାଚନ ହୋଇଥାଏ । ତେବେ ଉଭୟ କଂଗ୍ରେସ ଓ ବିଜେପି ସର୍ବଭାରତୀୟ ଦଳ । ତେଣୁ ୪ ରାଜ୍ୟର ଫଳାଫଳ ଜନମତ କାହା ସପକ୍ଷରେ, ତାକୁ ଇଶାରା କରିବ । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜୋରଦାର ପ୍ରଚାର କରିଥିଲେ ।

ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମେତ ଏହାର ସବୁ ହେଭିୱେଟଙ୍କୁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲା । ତେଣୁ ଏହି ସବୁ ରାଜ୍ୟରେ ମୋଦୀଙ୍କ ମ୍ୟାଜିକ କେତେ ଜାରି ରହିଛି, ତାର ପ୍ରମାଣ ଆଜିର ଫଳାଫଳରୁ ଜଣାପଡ଼ିଯିବ । ସେପଟେ କଂଗ୍ରେସ ମଧ୍ୟ ଲୋକଙ୍କ ଦ୍ୱାରା କେତେ ଗ୍ରହଣୀୟ ହେଉଚି, ତାର ପ୍ରମାଣ ମିଳିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ବଡ଼ ବାର୍ତା ପ୍ରଦାନ କରିବ । ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବା ବେଳେ ମିଜୋରାମରେ ଆସନ୍ତାକାଲି ଅର୍ଥାତ୍ ୪ ଡିସେମ୍ବରରେ ଫଳ ପ୍ରକାଶ ପାଇବ । ଭୋଟ୍ ଗଣନା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।