ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଘଟଣା ! କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ରାଜଶ୍ରୀ କାମିଲା

66

କନକ ବ୍ୟୁରୋ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ କରିବା ପରେ ଆକ୍ରମଣର ଶୀକାର ହୋଇଥିବା ରାଜଶ୍ରୀ କାମିଲାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ରାଜଶ୍ରୀଙ୍କୁ ନେବା ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ସଂପୃକ୍ତ ମହିଳାଙ୍କୁ ବହୁ କଷ୍ଟରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ରାଜଶ୍ରୀଙ୍କୁ ମାରିଦେବାକୁ ଷଡଯନ୍ତ୍ର ହେଉଛି ବୋଲି ଅଭିଯୋଗ କରିଛି ବିଜେପି ।

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଅଭିଯୋଗରେ ଜେଲରେ ଥିବା ରାଜଶ୍ରୀ କାମିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଗଭୀର ଅବନ୍ନତି ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଜି.କେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର କରା ଯାଇଥିଲା । ହେଲେ ଅବସ୍ଥା ଅଧିକ ଜଟିଳ ହେବାରୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ହଠାତ୍ ରାଜଶ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ପୁଲିସ ସହାୟତାରେ ଜି.କେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ଭେଷଜ ବିଶେଷଜ୍ଞ ଡା. ବିନୋଦ ପ୍ରଧାନ ରାଜଶ୍ରୀଙ୍କ ଚିକିତ୍ସା କରିଥିଲେ । ବାନ୍ତି ହେଉଛି, ରକ୍ତଚାପ କମିଯାଇଛି ଜାଣି ତୁରନ୍ତ ବାଲେଶ୍ୱର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଗୁରୁତର ରାଜଶ୍ରୀଙ୍କୁ ଅକ୍ସିଜେନ୍ ଲଗାଇ ଆମ୍ବୁଲାନ୍ସରେ ବାଲେଶ୍ୱର ଅଣାଯାଇଥିଲା । ପରିସ୍ଥିତିରେ ସୁଧାର ନଆସିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ୩୧ ତାରିଖ ଦିନ ତାଳସାରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ କରିଥିଲେ ରାଜଶ୍ରୀ । ଏହାପରେ ପୁଲିସ ତାଙ୍କୁ ଭିଡ଼ି ଭିଡ଼ି ନେବା ବେଳେ କିଛି ଲୋକ ରାଜଶ୍ରୀଙ୍କୁ ନିର୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୁଲିସ ତାଙ୍କୁ ରାତି ୮ଟା ପର୍ଯ୍ୟନ୍ତ ବାଲିଆପାଳ ଥାନାରେ ଅଟକ ରଖିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେହି ରାତିରେ ବାଲେଶ୍ୱର ହସ୍ପିଟାଲକୁ ଆଣିଥିଲା । ତିନିଦିନ ଚିକିତ୍ସା ହେବା ପରେ ଗତ ୩ ତାରିଖ ଦିନ ରାଜଶ୍ରୀଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ । ସେଥିପାଇଁ ତାଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନେଇଥିଲା । ବାଟରେ ପୁଣି ଆମ୍ବୁଲାନ୍ସରୁ ବାହାର କରି ପୁଲିସ ଗାଡ଼ିରେ ବସାଇ କୋର୍ଟକୁ ନେଇଥିଲା । ହାଜର ବେଳେ ଜେଏମଏଫସି ରାଜଶ୍ରୀଙ୍କ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜଳେଶ୍ୱର ସବଜେଲ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା ।

ଏଣେ ପୁଲିସ ଆଜି ରାଜଶ୍ରୀଙ୍କ ବିରୋଧରେ ଲଗାଇଥିବା ହତ୍ୟା ଭଳି ସଂଗୀନ ଦଫା ୩୦୭କୁ ହଟାଇ ନେଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ବାଲେଶ୍ୱରର ଅତିରିକ୍ତ ଏସପି ସନ୍ତୋଷ କୁମାର ନାୟକ । କୋର୍ଟରେ ହାଜର ବେଳେ ୩୦୭ ଦଫା ବାବଦରେ ଅଦାଲତ କଟୁ ମନ୍ତବ୍ୟ ଦେବାରୁ ପୁଲିସ ବାଧ୍ୟହୋଇ ଏପରି କରିଥିବା ଜଣାପଡ଼ିଛି । ଏଣେ ବିଜେପି ଘଟଣାକୁ ନେଇ ପୁଲିସ ଉପରେ ବର୍ଷିଛି । ଜିଲ୍ଲାର ନେତାମାନେ କହିଛନ୍ତି ରାଜଶ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି । ହସ୍ପିଟାଲରୁ ନେବାପରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଛି । ଫଳରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏଣେ ଜିଲ୍ଲା ପୁଲିସ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛି ।